ଗାଁ ବାଲାଙ୍କ କଥା

 

 

 

 

 

 

 

 

 

ଗାଁ ବାଲାଙ୍କ କଥା

ଶ୍ରୀମତୀ ସରଳା ଦେବୀ

 

ଓଡ଼ିଆଦେଶର ଗାଁ ବାଲାଙ୍କ ଅବସ୍ଥା ବିଚାରିଲା ବେଲକୁ ମନରେ ଏହି ଭାବ ଖେଳେ, ଏହି ଗାଁ ବାଲାଙ୍କ କଥା ସାରା ଓଡ଼ିଆ ଜାତିର କଥା କି ନୁହେଁ । ଓଡ଼ିଶା ହରିଜନ ଓ ଗଡ଼ଜାତର ପ୍ରାୟ ଏକ କୋଟି ଲୋକଙ୍କ ମଧ୍ୟରୁ ଶତକଡ଼ା ୨ ଜଣ ଲୋକ ସହରରେ ରହନ୍ତି, ବାକି ସମସ୍ତେ ଗାଁରେ ରହନ୍ତି । ଏଥିରୁ ଜଣା ଯାଉଛି, ଓଡ଼ିଆ ଜାତିଟା କେବଳ ଗାଁ ଗଣ୍ଡାରେ ରହିଛି । ସେଥଯୋଗୁଁ ଏହି ଗାଁ ବାଲାଙ୍କ କଥା, ତାଙ୍କ ସୁଖ ଦୁଃଖ, ତାଙ୍କର ଆଚାର ବିଚାର ବ୍ୟବହାର ଯେ ସମସ୍ତ ଓଡ଼ିଆ ଜାତିର, ଏଥିରେ କୌଣସି ସନ୍ଦେହ ନାହିଁ ।

 

ଓଡ଼ିଶାରେ ଅନେକ ଗାଁ ଅଛି । ମୋଗଲବନ୍ଦୀ ଓ ଗଡ଼ଜାତରେ ୩୪୨୨୯ ଟି ଗାଁ ଓ ୧୬ ଟି ସହର ଅଛି । ୟା ଭିତରୁ କଟକ ଜିଲ୍ଲାରେ ୫୫୦୬, ପୁରୀରେ ୨୯୮୭, ବାଲେଶ୍ୱରରେ ୩୪୭୯, ଅନୁଗୁଳରେ ୧୬୦୮, ସମ୍ବଲପୁରରେ ୧୯୪୩, ଗଡ଼ଜାତରେ ୧୮୭୦୬ । ଏତେ ଗୁଡ଼ା ଗାଁ ଅଛି । ଏ ଗାଁଗୁଡ଼ିକର ଅବସ୍ଥା ଯେ କେତେ ଦୂର ଶୋଚନୀୟ ତାହା ଯେ କୌଣସି ଲୋକ ଥରେ ଦେଖିଲେ ବୁଝିପାରିବ ।

 

ଗାଁଗୁଡ଼ିକର ଅବସ୍ଥା ଆଉ କଣ ବୋଲି ବର୍ଣ୍ଣନା କରିବୁ ? ଗୋଟିଏ ଗାଁର ଦଶା ଯାହା, ସବୁ ଗାଁର ଦଶା ସେଇଆ । ସେପରି ଭାବରେ ଗାଁଗୁଡ଼ିକ ବସିଥାଏ, ସେଥରେ ଗାଁ ବାଲାଙ୍କର ଅବସ୍ଥା ତ ଖରାପ ହେବାର କଥା । ଗାଁର ଘରଗୁଡ଼ିକ ଏକେ ତ ଛୋଟ, ସେଥିରେ ପୁଣି ଝରକା ନ ଥାଏ, ଖୋଲା ପବନ ଯିବା ଆସିବା ରାସ୍ତା ତ ଏକାବେଳକେ ବନ୍ଦ । ଘର ଆଗରେ ଗୋରୁ ଗୁହାଳ, ଛେଳି ମେଣ୍ଢା ଗୁହାଳ, ରୋଷେଇ ଘର ପ୍ରଭୃତି ରହି ଘର ଅପରିଷ୍କାର ହୋଇଥାଏ । ଦାଣ୍ଡ ରାସ୍ତାଗୁଡ଼ିକ ଏତେ ସରୁ ଯେ, ଖଣ୍ଡେ ଶଗଡ଼ ଯିବା ଅସମ୍ଭବ । ରାସ୍ତାଗୁଡ଼ିକ ମଧ୍ୟ ଅପରିଷ୍କାର ଥାଏ-। ବର୍ଷାଦିନେ ଗାଁ ଅବସ୍ଥା କହିଲେ ନ ସରେ । ଗାଁ ଚାରପାଖ ବାଉଁଶଗଛ, ଆମ୍ବଗଛ, ନଡ଼ିଆଗଛ ପ୍ରଭୃତିଦ୍ୱାରା ଛାଇ ହୋଇଥାଏ । ପିଇବା ପାଇଁ ଭଲ ପାଣି, ଗାଧୋଇବା ପାଇଁ ପାଣିର ଅଭାବ ବେଶୀ । ଏକା ପୋଖରୀରେ ମଳମୂତ୍ର ତ୍ୟାଗ, ଗୋରୁ ମଇଁଷି ପ୍ରଭୃତି ଗାଧୁଆ ହୁଏ । ୟା'ଛଡ଼ା ମଶା, ଗଣଗଣ ମାଛି ଖୁନ୍ଦି ହୋଇଥାନ୍ତି । ପୋଖରୀରେ ଲୋକେ ଗାଧୁଆ ପାଧୁଆ କରନ୍ତି, ରୋଷେଇ କରନ୍ତି ଓ ସେହି ପାଣି ପିଅନ୍ତି । ଆଉ ମଧ୍ୟ ଅନେକ ଗାଁରେ ଦେଖାଯାଏ, ୧୦/୧୫ ହାତ ଚଉଡ଼ା ଓ ଲମ୍ବା ଗଡ଼ିଆରେ ପାଣି ପୋଚା ବା ନେଳୀ ହୋଇଥାଉ ପଛକେ, ଲୋକେ ତାକୁ ଆଖି ବୁଜି ବ୍ୟବହାର କରିଥାଅନ୍ତି ।

 

ଓଡ଼ିଶାରେ ଗାଁରେ ଯିବା ଆସିବା ସୁବିଧା ଆଦୌ ନାହିଁ । ବର୍ଷାଦିନ ହଟହଟା–ବଡ଼ଲୋକ, ଗରୀବ କିଏ ଅଙ୍ଗେ ନ ନିଭାନ୍ତି ? ବର୍ଷକରେ ଅନେକ ଦିନ ଲାଗି ଗାଁଗୁଡ଼ିକ ସହର ଓ ବାହାର ଜଗତଠାରୁ ଅଲଗା ହୋଇ ରହି ଥାଅନ୍ତି । ଶଗଡ଼, ମଟର ବା ଅନ୍ୟ କିଛି ଯାନ ବାହନର ଯିବାଆସିବା ପାଇଁ କିଛି ସୁବିଧା ନ ଥାଏ । ଡାକଘର କିମ୍ବା ପୋଲିସ୍ ଥାନାର ସାହାଯ୍ୟ ନେବାକୁ ହେଲେ ସମୟ ସମୟରେ ୫ ଠାରୁ ୧୫ମାଇଲ ତକ ଦୌଡ଼ିବାକୁ ପଡ଼େ । ତାର ଦ୍ୱାରା ସମ୍ବାଦ ପଠାଇବା ତ ବହୁ ଦୂରର କଥା ।

 

ଏତେ ଅସୁବିଧା ସତ୍ତ୍ୱେ ଅଧିକା°ଶ ଗାଁ ବର୍ଷର ଅଧିକାଂଶ ସମୟରେ ଆତ୍ମନିର୍ଭରଶୀଳ-। ଗାଁର ଯେତେ ସାଧାରଣ କାମ ପାଇଁ ଅନ୍ୟ ଗାଁ ଉପରେ ନିର୍ଭର ହୋଇ ଲୋକେ ରହନ୍ତି ନାହିଁ । ଲୁଗା ସଫା କରିବାକୁ ଧୋବା, ଖିଅର ହେବାପାଇଁ ଭଣ୍ଡାରୀ, ଲୁଗା ବୁଣିବା ପାଇଁ ତନ୍ତୀ, ତେଲ ପେଡ଼ିବାକୁ ତେଲୀ ପ୍ରଭୃତି ଅନେକ ବିଷୟରେ ପ୍ରତି ଗାଁ ଊଣାଅଧିକରେ ନିଜ ଗୋଡ଼ ଉପରେ ଛିଡ଼ା ହୁଅନ୍ତି ।

 

ପ୍ରାଚୀନ କାଳରେ ପ୍ରତ୍ୟେକ ପଲ୍ଲୀ ଆର୍ଥିକ, ରାଜନୈତିକ ବିଷୟରେ ଆତ୍ମନିର୍ଭରଶୀଳ ଥିବା ପରି ଜଣାଯାଏ । ଖାଇବା ପାଇଁ ଧାନ, ମୁଗ, ପରିବା ପ୍ରଭୃତି ଗ୍ରାମରେ ଉତ୍ପନ୍ନ ହୁଏ । ପିନ୍ଧିବା ପାଇଁ ଗ୍ରାମରେ କପା ଚାଷ ହୁଏ, ତନ୍ତୀ ଲୁଗା ବୁଣେ । ଗ୍ରାମ ସଂପର୍କୀୟ ଯାବତୀୟ ସାମାଜିକ ଓ ରାଜନୈତିକ ବିଷୟରେ ଗ୍ରାମ ପଞ୍ଚାୟତ ମୀମାଂସା କରନ୍ତି । ଗ୍ରାମର ସାଧାରଣ ପ୍ରରିଚାଳନା, ପର୍ବପର୍ବାଣି ପ୍ରଭୃତି ପଞ୍ଚାୟତଙ୍କ ଇଙ୍ଗିତରେ ହେଉଥିଲା । ପ୍ରତ୍ୟେକ ଗ୍ରାମ ଶିକ୍ଷା ଓ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ଥିଲା । ଆତ୍ମନିର୍ଭରଶୀଳତାର ମର୍ଯ୍ୟାଦା ଗ୍ରାମବାସୀମାନେ ଉତ୍ତମରୂପେ ବୁଝିପାରୁଥିଲେ । ସେ ସମୟର ପରସ୍ଥିତି ମଧ୍ୟ ଲୋକଙ୍କୁ ସେତେ ଅଭାବରେ ପକାଇ ନ ଥିଲା । ସେଥିପାଇଁ ଲୋକେ ସୁଖରେ ଥିଲେ । କିନ୍ତୁ ବର୍ତ୍ତମାନ ସେ ଅବସ୍ଥା ଆଉ ନାହିଁ । କାଳର ଗତି ସଙ୍ଗେ ସଙ୍ଗେ ଜୀବନର ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଘଟୁଛି । ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଲୋକମାନଙ୍କର ଅଭାବ ବଢ଼ୁଛି । ଏଣେ ଅଭାବ ବୃଦ୍ଧି ପାଉଛି, କିନ୍ତୁ ସେହି ଅଭାବ ମୋଚନ ପାଇଁ ଯାହା ଯାହା ଦରକାର ତାହା ଉପଯୁକ୍ତ ପରିମାଣରେ ମିଳୁ ନ ଥିବା ଯୋଗୁଁ ମନରେ ଅଶାନ୍ତି ଜାତ ହେଉଛି ଏବଂ ଦେହରେ ପୀଡ଼ା ହେଉଛି; ଫଳରେ ଲୋକଙ୍କର ଅବନତି ହେଉଛି ।

 

ବର୍ତ୍ତମାନ ପଲ୍ଲୀର ଅବନତିର ପ୍ରଧାନ କାରଣ ହେଉଛି

 

(୧)

ଆର୍ଥିକ ଅବସ୍ଥାର ପରବର୍ତ୍ତନ

(୨)

ରାଜକୀୟ ଶାସନ ପରଚାଳନା

 

ପ୍ରାଚୀନ ଅବସ୍ଥା ଅପେକ୍ଷା ପଲ୍ଲୀର ବର୍ତ୍ତମାନ ଅବସ୍ଥା ନିତାନ୍ତ ଶୋଚନୀୟ ହୋଇ ପଡ଼ିଛି-! ବର୍ତ୍ତମାନ ଲୋକେ ଖାଇବାକୁ ମୁଠାଏ ଭାତ, ପିନ୍ଧିବାକୁ ଖଣ୍ତେ ଲଗା ପାଇପାରୁ ନାହାନ୍ତି । ସେ ସମୟରେ ଯେପରି ରାଜ୍ୟର ପରିଚାଳନା ଥିଲା, ବର୍ତ୍ତମାନ ତାହାର ଅନେକ ପରିବର୍ତ୍ତନ ହୋଇଛି । ରାଜା ଓ ପ୍ରଜାର ସଂପର୍କ ଦନକୁଦିନ ଦୂରରୁ ଦୂରତର ହେଉଛି । ପ୍ରଜାର ଉନ୍ନତି ଦୃଷ୍ଟିରେ ରାଜ୍ୟର ପରିଚାଳନା ହେଉ ନ ଥିବା ଯୋଗୁଁ ପ୍ରଜାମାନେ ଯାବତୀୟ ଦୁଃଖ ଅନୁଭବ କରୁଛନ୍ତି । ପ୍ରଜାମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ବାଣିଜ୍ୟ ପ୍ରଭୃତି ବିଷୟରେ କିପରି ଉନ୍ନତି ହେବ, ସେଥିପ୍ରତି ସରକାର ଯଥେଷ୍ଟ ଦୃଷ୍ଟି ଦେଉ ନାହାନ୍ତି । ଏହା ଯେ କି ଘୋର ପରିତାପର କଥା, ତାହା ବିଶେଷ ଭାବରେ କହିବା ଅନାବଶ୍ୟକ ।

 

କୃଷି–ପଲ୍ଲୀର କୃଷିର ଅବସ୍ଥା କେତେ ନିମ୍ନସ୍ତରରେ ରହିଛି, ତାହା ଯେ କୌଣସି ଲୋକ ବୁଝିପାରୁଥିବ । ଓଡ଼ିଆ କୃଷକର ଶୋଚନୀୟ ଅବସ୍ଥା ଦେଖିଲେ ଆଖିରୁ, ଲୁହ ନ ଗଡ଼ାଇ ରହିପାରିବ ନାହିଁ । ଆମ ଦେଶର ଚାବି କୃଷକ ହାତର, କୃଷକ ଦେଶର ମେରୁଦଣ୍ଡ; କିନ୍ତୁ ତାର ପ୍ରାଧାନ୍ୟ ଦୃଷ୍ଟିରେ ତାର ସୁଖଦୁଃଖ ପ୍ରତି ସେତେ ଯତ୍ନ ନିଅଯାଉ ନ ଥିବା ବଡ଼ କ୍ଷୋଭର ବିଷୟ । ଓଡ଼ିଶାରେ କୃଷି ହେଉଛି ସର୍ବପ୍ରଧାନ ବ୍ୟବସାୟ । ଦେଶର ଶତକଡ଼ା ୭୫ ଜଣ କୃଷିଦ୍ୱାରା ଜୀବିକା ନିର୍ବାହ କରନ୍ତି ଏବଂ ଶତକଡ଼ା ୯୦ କଣ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭର କରନ୍ତି । ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶାର କୃଷିର ପ୍ରଧାନ୍ୟ କଛି କମ୍ ନୁହେଁ । ନିମ୍ନଲିଖିତ ହସାବରୁ କୃଷି ଉପରେ କେତେ ଜଣ ନିର୍ଭର କରୁଛନ୍ତି, ତାହା ଜଣାପଡ଼ିବ ।

 

ପ୍ରଦେଶ

କୃଷକସଂଖ୍ୟା
(ଜନସଂଖ୍ୟାର ଶତକଡ଼ା)

ଭାରତବର୍ଷ

୭୧

ବଙ୍ଗ

୭୭

ଆସାମ

୮୮

ବମ୍ୱେ

୬୨

ବିହାର ଓଡ଼ିଶା

୮୦

ବର୍ମା

୭୧

ମଧ୍ୟପ୍ରଦେଶ

୭୪

ମାନ୍ଦ୍ରାଜ

୭୧

ଯୁକ୍ତପ୍ରଦେଶ

୭୫

ପଞ୍ଜାବ

୫୯

ଓଡ଼ିଶା

୭୩

 

ଓଡ଼ିଶାର ଚାଷଜମିର ଶତକଡ଼ା ପ୍ରାୟ ୮୨ ଏକର ଜମିରେ ଧାନ ଫସଲ ହୁଏ । ଯେପରି ଭାବରେ ଚାଷ କଲେ ଲାଭ ହେବ, ସେପରି ଭାବରେ ଚାଷୀଏ ଚାଷ କରନ୍ତି ନାହିଁ । ଉନ୍ନତ ଧରଣର ଚାଷ ସମ୍ୱନ୍ଧରେ କିଛି ଅଭିଜ୍ଞତା ନ ଥିବା ଯୋଗୁଁ ଏପରି ଘଟୁଅଛି ।

 

କିପରି ଧରଣ ଖତ, ହଳ, ବଳଦ, ଲଙ୍ଗଳ, ବିଭିନ୍ନ ପ୍ରକାର ଲାଭ ଜନକ ଫସଲ (ଯଥା–ଆଳୁ, ଝୋଟ, ଆଖୁ, ନଡ଼ିଆ, ତେଲ ମଞ୍ଜି ପ୍ରଭୃତି) ବ୍ୟବହାର କରିବାକୁ ହେବ, ତାହା ଏ ଦେଶର ଚାଷୀମାନେ ଜାଣନ୍ତି ନାହିଁ । ଖତର ଉପକାରିତା ଆଜିଯାଏ ଗାଁର ଚାଷୀଏ ବୁଝି ନାହାନ୍ତି । ଆମ ଦେଶରେ ଗୋବର ଗୋଟିଏ ପ୍ରଧାନ ଖତ; କିନ୍ତୁ ତାକୁ କିମିତି କାମରେ ଲଗାଇବାକୁ ହେବ, ସେ ସମ୍ବନ୍ଧରେ ଲୋକେ ଜାଣନ୍ତି ନାହିଁ । ଗାଆଁରେ ଗୋବରକୁ ଘଷି କରି ନଷ୍ଟ କରିଦିଅନ୍ତି । ତା ନ କରି ଯଦି ଖାତରେ ପୋତି ସଢ଼େଇ ଖତରୂପେ ବ୍ୟବହାର କରନ୍ତେ, ତେବେ–ଜମିର ବଳ ଖୁବ୍ ବଢ଼ନ୍ତା । ଆଉରି ମଧ୍ୟ ଯେଉଁଠି ଗୋବର ଖତର ଅଭାବ, ସେଠାରେ ସଲ୍‌ଫେଟ ଏମୋନିଆ (Subplate Amonia), ପ୍ରଭୃତି ବଳକାରକ ଖତ ବ୍ୟବହାର କରିବା ଉଚିତ । ଏ ଦେଶରେ ଯେପରି ଲଙ୍ଗଲ ବ୍ୟବହାର ହୁଏ, ସେଥିରେ ଚାଷରେ ବେଶୀ ସୁବିଧା ହୁଏ ନାହିଁ । ଆଜିକାଲି ନୂଆ ଧରଣର ସୁବିଧାଜନକ ଲଙ୍ଗଳ ବ୍ୟବହାର ହେଉଛି । ଯେଉଁମାନଙ୍କର ସମ୍ବଳ ଅଛି, ସେମାନେ–ନୂଆ ଧରଣର ଚାଷ ଉପଯୋଗୀ ସମସ୍ତ ଜିନିଷ ବ୍ୟବହାର କରି ଲୋକଙ୍କୁ ଆଦର୍ଶ ଦେଖାଇବା ଉଚିତ । ଏ ଦିଗରେ ସରକାରଙ୍କ କର୍ତ୍ତବ୍ୟ ଖୁବ୍ ବେଶୀ ରହିଛି । ଓଡ଼ିଶାରେ ଚାଷର ଉନ୍ନତି ପାଇଁ ସରକାର ଯାହା କରୁଛନ୍ତି, ତା’ ସମୁଦ୍ରକୁ ଶଙ୍ଖେ ପାଣି ପରି । ପୃଥିବୀର ଅନ୍ୟାନ୍ୟ ଦେଶ ଓ ଭାରତର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ସରକାର ଏହି କ୍ଷେତ୍ରରେ ବହୁତ ପଛରେ ପଡ଼ିଛନ୍ତି । କୃଷି ବିଭାଗରେ ପ୍ରତି ଶହେ ଲୋକଙ୍କ ପିଛା ଆମେରିକା ସରକାର ଟ୧୦୭୦, ଇଂଲଣ୍ଡ ଟ୯୬୦, ଜର୍ମାନୀଟ୯୪୫, ଇଟାଲୀ ଟ ୨୨୫, ଭାରତ ସରକାର ଟ୩୪ ଏବଂ ଓଡ଼ିଶା ଟ ୪୧ଙ୍କା ଖର୍ଚ୍ଚ କରୁଛନ୍ତି । ଏଥିରୁ ସରକାରଙ୍କର ଚାଷ ପ୍ରତି କି ଦୃଷ୍ଟି ତାହା ସହଜରେ ଜଣା ପଡ଼ିବ । ସରକାର ବର୍ତ୍ତମାନ ଯାହା ଖର୍ଚ୍ଚ କରୁଛନ୍ତି, ତାହା ଅପେକ୍ଷା ଖୁବ୍ ବେଶୀ ଖର୍ଚ୍ଚ ନ କଲେ ଏ ଦେଶର କୃଷିର ଅବସ୍ଥା ଉନ୍ନତ ହେବା ସମ୍ଭବ ନୁହେଁ ।

 

ଚାଷ ପକ୍ଷରେ ଆଉ ଗୋଟିଏ ଅସୁବିଧା ଚାଷ ଜମିର ସଙ୍କୀର୍ଣ୍ଣତା । ଯେଉଁ ଜମିରେ ଚାଷ କରିବ, ତା ଯଦି ଖୁବ୍ ସାନ ହୋଇଥିବ, ତେବେ ଚାଷର ଉନ୍ନତି ହୋଇପାରେ ନାହିଁ । ଓଡ଼ିଶାରେ ପ୍ରତ୍ୟେକ ଚାଷୀ ଭାଗରେ ମାଣେ ପାଞ୍ଚ ଗୁଣ୍ଠ ଚାଷଜମି ପଡ଼ୁଛି । ଏଥରୁ ଯାହା ଆୟ ହୁଏ, ତାହା ବ୍ୟୟପାଇଁ ନିଅଣ୍ଟ । ଏଥିରୁ ବାକି ଲାଭ ଆଶା କରି ହେବ ? ଏଥିରେ ପୁଣି ଖଜଣାର ଦାଉ । ଓଡ଼ିଶାରେ ପ୍ରତ୍ୟେକ ମାଣ ପିଛା ପ୍ରାୟ ଟ ୨ ଖଜଣା ପଡ଼ୁଛି । ଜମିର ଆୟ ତୁଳନାରେ ଖର୍ଚ୍ଚ କାଟିଦେଲେ ଯାହା ଲାଭ ରହିବ, ତାହା ଖଜଣାକୁ ନିଅଣ୍ଟ । ଏଥିରେ ଚାଷୀ ବା କଣ କରିବ ? କିପରି ବା ଚାଷର ଉନ୍ନତି ପାଇଁ ଚେଷ୍ଟା କରିବ ? ପୃଥିବୀର ଅନ୍ୟ କୌଣସି ଦେଶରେ ଭାରତବର୍ଷ ପରି ଏତେ ଖଜଣା ଦିଅନ୍ତି ନାହିଁ । ଏହି ଖଜଣା ହେତୁ ଆମ ଦେଶରେ ଚାଷର ଉନ୍ନତି ହୋଇ ପାରୁ ନାହିଁ । ଏହା ଅଧରୁ ଅଧିକ ନ କମିଲେ ଚାଷିକୁଳ ଆଉ ମୁଣ୍ତ ଟେକି ଛିଡ଼ା ହୋଇ ପାରିବେ ନାହିଁ ।

 

ଦିନେ ନୁହେ, ଦି’ଦିନ ନୁହେଁ, ସାରା ବର୍ଷ ଏ ଦେଶର ଚାଷୀକୁ ଅଭାବରେ ପଡ଼ି ଦିନ କାଟିବାକୁ ହେଉଛି । ଅଧିକାଂଶ ଚାଷୀ କରଜରେ ବୁଡ଼ି ରହିଥାନ୍ତି । ମହାଜନର ସୁଧର ହାର ଚାଷୀ ପକ୍ଷରେ ଅସହ୍ୟ ହୋଇ ପଡ଼ୁଅଛି । ଧାନ ଓ ରବି ଧାର ନେଲା ବେଳେ ଆଠ ମାସ ପାଇଁ ଶତକଡ଼ା ପଚିଶ ଏବଂ ତାପରେ ଚକ୍ରବୃଦ୍ଧି ସୁଧ ଦେବାକୁ ପଡ଼ୁଅଛି । ବିହନ ଉପରେ କରଜ କଲେ ନଗଦ ଟଙ୍କା ଉପରେ ଶତକଡ଼ା ୫୦ ସୁଧ ଦେବାକୁ ପଡ଼ିଅଛି । କେତେ କେତେ ସ୍ଥାନରେ ୧୮ ଠାରୁ ୭୫ଟଙ୍କା ପର୍ଯ୍ୟନ୍ତ ସୁଧ ନିଆ ଯାଇଥାଏ । କାବୁଲିବାଲା ଶତକଡ଼ା ଟ୧୫୦ରେ ଧାର ଦିଅନ୍ତି । ଏ ସୁଧ ସୁଧ ନୁହେଁ, ଜୀବନର ରକ୍ତ । ସୁଧର ହାର କମାଇବା ପାଇଁ ଏବଂ ଉପଯୁକ୍ତ ସମୟରେ ମୂଳଧନ ଯୋଗାଇବା ପାଇଁ କୃଷି ବ୍ୟାଙ୍କ ପ୍ରଭୃତି ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ନ ହେଲେ ଚାଷିକୁଳ ଉଚ୍ଛନ୍ନ ହେବେ, ଏଥିରେ ସନ୍ଦେହ ନାହିଁ । ସହଯୋଗ ସମିତି (Co-operative Society) ଏ ଦିଗରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଛି ସତ୍ୟ; କିନ୍ତୁ ଉପଯୁକ୍ତ ପରିଚାଳନାର ଅଭାବ ଓ ଲୋକଙ୍କର ମୂର୍ଖତା ହେତୁ କିଛି କାମ ହୋଇ ପାରୁ ନାହିଁ । ଓଲଟି ଲୋକେ ସର୍ବସ୍ୱାନ୍ତ ହେଉଛନ୍ତି ।

 

ସାଧାରଣତଃ ଦେଖାଯାଏ, ଚାଷଜମି ଯଦି ଖୁବ୍ ବସ୍ତୀର୍ଣ୍ଣ ହୋଇ ଥାଏ, ତେବେ ଚାଷପାଇଁ ସୁବିଧା ହୁଏ । ଏହି ପ୍ରକାର ଜମିରେ ଚାଷ କରିବା ପାଇଁ କୃଷକର ଉତ୍ସାହ ମଧ୍ୟ ଜାତ ହୁଏ । କିନ୍ତୁ 'ଆମ ଦେଶର ଜମିର ଅବସ୍ଥା ଯେପରି, ସେଥିରେ ଯେ କୃଷକର କି ଉତ୍ସାହ ଜାତ ହେବ, ତାହା ମୁଁ କହିପାରୁ ନାହିଁ । ଏଠାର କୃଷକମାନଙ୍କ ମଧ୍ୟରୁ ଶତକଡ଼ା ପ୍ରାୟ ୨୦ ଜଣ ୧ ଠାରୁ ୨ ଏକର ପର୍ଯ୍ୟନ୍ତ ଚାଷ କରନ୍ତି, ଶତକଡ଼ା ୨୦ ଜଣ ୨ ଠାରୁ ୫ ଏକର ପର୍ଯ୍ୟନ୍ତ ଚାଷ କରନ୍ତି ଏବେ ୫ ଠାରୁ ୧୦ ଏକର ପର୍ଯ୍ୟନ୍ତ ଚାଷ କରିବାର ଲୋକମାନଙ୍କ ସଂଖ୍ୟା ହେଉଛି ଶତକଡ଼ା ୨୫ । ୫ ଏକର ଜମି ଚାଷ କରବା କୃଷକଙ୍କ ସଂଖ୍ୟା ଯେ ଶତକଡ଼ା ୫୦ ଠାରୁ ୬୦ ଭିତରେ ଏଥିରେ ସନ୍ଦେହ ନାଇଁ । ଏପରି ଅବସ୍ଥାରେ କୃଷିର କି ଉନ୍ନତି ଆଶା କରା ଯାଇପାରେ ? ଏହି ଅସୁବଧାଟି ଦୂର ନ ହେଲେ ବେଶୀ କିଛି ଲାଭ ହୋଇ ପାରିବ ନାହିଁ । ସହଯୋଗ ପଦ୍ଧତିରେ ଦୁଇ ତିନି ଜଣ କୃଷକ ମିଶି ଜମିକୁ ଏକତ୍ର କରି ଚାଷ କରିବା ଖୁବ୍ ସୁବିଧାଜନକ । କିନ୍ତୁ ଏ ସଂବନ୍ଧରେ କେତେକ ଆଇନଗତ ଅସୁବିଧା ଅଛି ବୋଲି ଆଇନଜ୍ଞମାନଙ୍କର ମତ । ସରକାର ଏଥିରେ ବିଶେଷଭାବରେ ଦୃଷ୍ଟି ଦେଇ କାର୍ଯ୍ୟ କଲେ ବହୃତ ମଙ୍ଗଳ ହୁଅନ୍ତା । ଆମ ଦେଶରେ ଆଉ ଗୋଟିଏ ଅସୁବିଧା ରହିଛି । ଜମିର ମାଲିକମାନେ ପ୍ରାୟ ବର୍ଷକରେ ଦୁଇ ବର୍ଷରେ ରୟତ ବଦଳାନ୍ତି-। ଯେଉଁ ରୟତ ଏହି ବର୍ଷ ଜମି ଚାଷ କଲା, ସେ ଯଦ ଆସନ୍ତା ବର୍ଷକୁ ସେହି ଜମି ଚାଷ ନ କରେ, ତେବେ ସେ ବା କାହିଁକି ଭଲ ଚାଷ କରିବ, ଭଲ ଖତ ଦେବ ? ସେଥିପାଇଁ ରୟତର ଉତ୍ସାହ ରହେ ନାହିଁ କି ଜମିର ଉର୍ବରା ଶକ୍ତି ବଢ଼େ ନାହିଁ । ଏହି କୁପ୍ରଥା ଶୀଘ୍ର ଉଠିଯିବା ଦରକାର ।

Image

 

ବାଣିଜ୍ୟ

 

କୃଷି ତଳକୁ ନାମଯୋଗ୍ୟ ବ୍ୟବସାୟ ଆମ ଦେଶରେ କିଛି ନାହିଁ କହିଲେ ଚଳେ । ଜନସଂଖ୍ୟାର ଶକକଡ଼ା ପ୍ରାୟ ୯୦ ଲୋକ ଚାଷ ଉପରେ ନିର୍ଭର କରନ୍ତି ଏବଂ ବଳକା ଲୋକ ଅନ୍ୟାନ୍ୟ ବ୍ୟବସାୟ କରନ୍ତି । ଚାଷର ଅବସ୍ଥା ଯେତେବେଳେ ଏତେ ଶୋଚନୀୟ, ସେତେବେଳେ ଲୋକେ ଯେ କେବଳ ତାରି ଉପରେ ନିର୍ଭର କରି ଜୀବନ ଯାପନ କରିପାରିବେ ଏହା ବିଶ୍ୱାସ ହେଉ ନାହିଁ । ବିଶେଷତଃ ବାଣିଜ୍ୟରେ ଯେପରି ଲାଭ ହୁଏ, କୃଷିରେ ସେପରି ଲାଭ ହୁଏ ନାହିଁ । ସେଥିପାଇଁ କଥାରେ ଅଛି, ‘‘ବାଣିଜ୍ୟେ ବସତେ ଲକ୍ଷ୍ମୀ, ତଦର୍ଦ୍ଧଂ କୃଷି କର୍ମଣି ।” ଭାରତବର୍ଷ ଛଡ଼ା ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କରେ ବାଣିଜ୍ୟ ଉପରେ ଅନେକ ଲୋକ ନିର୍ଭର କରନ୍ତି ଏବଂ ସେମାନେ ବାଣିଜ୍ୟ ଉପରେ ନିର୍ଭର କରନ୍ତି ବୋଲି ସେତେ ସମୃଦ୍ଧିଶାଳୀ ହୋଇ ପାରିଛନ୍ତି । ନିମ୍ନଲିଖିତ ହିସାବରୁ ଶିଳ୍ପ ଓ ବାଣିଜ୍ୟ ଉପରେ ଭିନ୍ନ ଭିନ୍ନ ଦେଶରେ କେତେ ଲୋକ ନିର୍ଭର କରନ୍ତି, ତାହା ଜଣା ପଡ଼ିବ ।

ଦେଶ

ଜନସଂଖ୍ୟାର ଶତକଡ଼ା

ଆମେରିକା

୨୯

ଇଂଲଣ୍ଡ

୪୦

ଜର୍ମ୍ମାନୀ

୩୮

ଫ୍ରାନ୍ସ

୩୧

କାନାଡ଼ା

୨୭

ଭାରତବର୍ଷ

୧୧

 

ବ୍ୟବସାୟ ବାଣିଜ୍ୟ ପ୍ରତି ଆମ ଲୋକଙ୍କର ସେତେ ସ୍ପୃହା ନାହିଁ । ପୂର୍ବ କାଳରେ ସେ ଅବସ୍ଥା ବର୍ତ୍ତମାନ ପରି ଥିଲା, ତାହା କୁହା ଯାଇ ପାରିବ ନାହିଁ । ପୁର୍ବକାଳରେ ଦେଶ ଶିଳ୍ପ ଓ ବାଣିଜ୍ୟରେ ପରିପୂର୍ଣ୍ଣ ଥିଲା । ପ୍ରତିବର୍ଷ ଦେଶକୁ କୋଟି କୋଟି ଟଙ୍କା ଆସୁଥିଲା । ଲୋକେ ଖୁବ୍ ସୁଖ ସ୍ଵଚ୍ଛନ୍ଦରେ ଜୀବନ ଯାପନ କରୁଥିଲେ । ଉତ୍କଳର କପାର ଲୁଗା, ମଠା ପାଟ ସୁଦୂର ଯାଭା, ସୁମାତ୍ରା ପ୍ରଭୃତି ଅଞ୍ଚଳରେ ବିକ୍ରୀ ହେଉଥିଲା ଏବଂ ଆଦର ପାଉଥିଲା ମଧ୍ୟ । ଦେଶୀୟ ରାଜାମାନେ ବାଣିଜ୍ୟ, ସଂବନ୍ଧରେ ଲେକମାନଙ୍କୁ ବିଶେଷ ଭାବରେ ଉତ୍ସାହ ପ୍ରଦାନ କରୁଥିଲେ । ଦେଶ ଆତ୍ମନିର୍ଭରଶୀଳ ଥିଲା । ଲୋକେ ମଧ୍ୟ ପରଶ୍ରମୀ ଥିଲେ । ଦେଶରେ ଅଧିକ ପରିମାଣରେ ଜିନିଷ ତିଆରି ହୋଇ ପାରୁଥିଲା । ବ୍ୟବହାର ବାଦ୍ ବଳକା ଜିନିଷକୁ ବିଦେଶ ବଜାରକୁ ରପ୍ତାନି କରା ଯାଉଥିଲ ।

 

କିନ୍ତୁ ଆଜି ସେ ଅବସ୍ଥାର ଢେର ପରବର୍ତ୍ତନ ହୋଇଯାଇଛି । ଲୋକଙ୍କ ଦୁଃଖ ଦାରିଦ୍ର୍ୟ ଅସହନୀୟ ହୋଇ ପଡ଼ିଛି । ଲେବେ ନିରୁପାୟ, ହୋଇ ବସିଛନ୍ତି । ବିଦେଶୀୟ ସରକାର ଏକପ୍ରକାର ଉଦାସୀନ ରହିଛନ୍ତି କହିଲେ ଚଳେ । ଦେଶୀୟ ଶିଳ୍ପ ଓ ବାଣିଜ୍ୟର ଉନ୍ନତି ପାଇଁ ସେପରି କିଛି ନାମଯୋଗ୍ୟ ଚେଷ୍ଟା ହେଉ ନାହିଁ ।

 

ଲେକେ ଗରିବ ଥିବା ଯୋଗୁଁ ବାଣିଜ୍ୟ ବ୍ୟବସାୟ ପାଇଁ ଯେଉଁ ମୂଳଧନ ଦରକାର, ତାହା ପାଇପାରୁ ନାହାନ୍ତି । ଅନ୍ୟାନ୍ୟ ଦେଶ ମାନଙ୍କରେ ମୂଳଧନ ଯୋଗାଇବା ପାଇଁ ବେଙ୍କର ପ୍ରତିଷ୍ଠା ହୋଇଛି; କିନ୍ତୁ ଆମ ଦେଶରେ ସେପରି ବ୍ୟବସ୍ଥା ନାହିଁ ? ଯେଉଁ କେତୋଟି ବ୍ୟାଙ୍କ ବା ଦେଖାଯାଇଛି, ତାହା କେବଳ ଗୋଟିଏ ଗୋଟିଏ ମହାଜନ ସମିତି ଛଡ଼ା ଆଉ କିଛି ନୁହେଁ । ଏହି ବ୍ୟାଙ୍କଗୁଡ଼ିକରୁ ଲୋକେ ସୁବିଧା ପାଇବେ କଣ ଓଲଟା ଏହାର କବଳରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି । ଉପଯୁକ୍ତ ବ୍ୟବସ୍ଥାରେ ବ୍ୟାଙ୍କର ପ୍ରତିଷ୍ଠା ହେଲେ ଦେଶରେ ଯେ ବହୁତ ଉପକାର ହେବ ଏଥିରେ ସନ୍ଦେହ ନାହିଁ । ଏହି ବ୍ୟବସ୍ଥାର ଭାର କେବଳ ସରକାରଙ୍କ ଉପରେ । ଅତଏବ ସରକାର ଏ ସଂବନ୍ଧରେ ବିଶେଷ ଯତ୍ନବାନ୍ ହେବା ଉଚିତ ।

 

ଉପଯୁକ୍ତ ପରିମାଣରେ ସାହାଯ୍ୟ ଓ ଶିକ୍ଷା ପାଇଲେ ଆମ ଦେଶରେ ତେଲ କାରଖାନା, ଚିନି କାରଖାନା, ଲୁଗାକଳ, କାଗଜ କଳ, କତାଦଉଡ଼ି କଳ ପ୍ରଭୃତି ଯେ ବସିପାରେ ଏଥିରେ ସନ୍ଦେହ ନାହିଁ । ଏହି ଶିଳ୍ପଗୁଡ଼ିକ ପାଇଁ ଦେଶରେ ବହୁତ ସାମଗ୍ରୀ ରହିଛି, କେବଳ ସେଗୁଡ଼ିକର ବ୍ୟବହାର ଦରକାର ।

 

ଓଡ଼ିଶାରେ କୃଷକମାନଙ୍କ ପକ୍ଷରେ କୁଟୀର ଶିଳ୍ପ ବହୁତ ଲାଭ ଜନକ ହୁଅନ୍ତା । ସାଧାରଣତଃ ଆମ୍ଭେମାନେ ଦେଖୁଁ, ଧାନ ଅମଳ ସରିଲେ ପୁନର୍ବାର ଧାନବୁଣା ପର୍ଯ୍ୟନ୍ତ ଏହି ଚାରି ପାଞ୍ଚ ମାସ କୃଷକମାନେ ବେକାର ହୋଇ ବସିଥାନ୍ତି । ଖଳା ମୁଣ୍ଡରେ ଯାହ। ବଳି ଥାଏ, ତାକୁ ଏହି ଚାରି ପାଞ୍ଚ ମାସରେ ଶେଷ କରି ଦେଇ ମହାଜନ ଦ୍ଵାରକୁ ଦୌଡ଼ନ୍ତି । ଏହି ବେକାର ସମୟଟା ଯଦି କୁଟୀର ଶିଳ୍ପରେ ଲଗାନ୍ତେ, ତେବେ ବହୁତ ଉପକାର ହୁଅନ୍ତା । ସୂତାକଟା, ଲୁଗା ବୁଣା, ବାସ୍‌କେଟ୍‌ବୁଣା, କୁଣ୍ଢାଇ ତିଆରି ଏଣ୍ଡି ଚାଷ ପ୍ରଭୃତି କେତେକ କାର୍ଯ୍ୟରେ ଲାଗିଗଲେ ଯଥେଷ୍ଟ, ରୋଜଗାର ହୁଅନ୍ତା । ବିଶେଷତଃ ସ୍ତ୍ରୀଲୋକମାନେ ବହୁତ ଲାଭ ପାନ୍ତେ । ଏ ସଂବନ୍ଧରେ ଶିକ୍ଷାର ଅଭାବରୁ ଲୋକେ କିଛି କରିପାରୁ ନାହାନ୍ତି । ସରକାରଙ୍କର ଶିଳ୍ପ ଓ ବାଣିଜ୍ୟ ବିଭାଗ ଏଥିପାଇଁ ଯାହା କରିଛନ୍ତି, ତାହା କିଛି ନୁହେଁ । ଦେଶର ଉତ୍ସାହୀ ଯୁବକମାନଙ୍କର ଦୃଷ୍ଟି ବିଶେଷ ଭାବରେ ଏଥିପ୍ରତି ଆକୃଷ୍ଟ ହେବା ଉଚିତ ।

 

ଓଡ଼ିଆ କୃଷକ ଓ ବ୍ୟବସାୟୀକୁ ବହୁତ ଅସୁବିଧା ଭୋଗ କରିବାକୁ ପଡୁଛି । ତାର ନିଜର କାମ ଛଡ଼ା ତାକୁ ବିନା ମଜୁରୀରେ ଅନ୍ୟମାନଙ୍କର କାମ କରିକାକୁ ପଡ଼ୁଛି । ବର୍ଷକୁ ୧୫-୨୦ ଦିନ ତାକୁ ବେଠି ବେଗାରୀ କରିବାକୁ ପଡ଼ୁଛି । ଓଡିଶାରେ ଜମିଦାରମାନଙ୍କର ଜୁଲମ କିଛି କମ୍ ନୁହେଁ । ଗଡ଼ଜାତର ଅବସ୍ଥା କଣ ବୋଲି ବର୍ଣ୍ଣନା କରିବି ? ସେଠାକାର ଲୋକମାନଙ୍କର ଜୀବନ କି ଅଶାନ୍ତିମୟ । ସବୁବେଳେ ପରର ମନ ଧରି, ରାଜାରାଜୋଡ଼ାଙ୍କର ମନ ଧରି ଅସ୍ୱସ୍ତିରେ ଜୀବନ କାଟିବାକୁ ପଡ଼ୁଛି । ଏତେ କଷ୍ଟରେ ରହି ଲୋକ ବା କଣ କରିପାରେ ?

ତାର ଯେ ନିଜର କୌଣସି ଦୁର୍ଗୁଣ ନାହିଁ, ଏହା କୁହାଯାଇ ନ ପାରେ । ଜନ୍ମରୁ ମରଣ ପର୍ଯ୍ୟନ୍ତ ଓଡ଼ିଆକୁ ଆଳସ୍ୟ ଘୋଟି ରହିଛି । ସକାଳ ବେଳା ଖାଇବାକୁ ଥିଲେ ଉପର ବେଳାର ଚିନ୍ତା ତାର ମନକୁ ଅଦୌ ଆସେ ନାହିଁ । ଅବଶ୍ୟ ସେ ଯେତେବେଳେ ଦେଶ ଛାଡ଼ି ବିଦେଶରେ ଖଟୁଛି, ସେତେବେଲେ ପଶୁପରି ପରିଶ୍ରମ କରୁଛି; କିନ୍ତୁ ଘରେ ଥିବାବେଳେ ସେ ‘‘ରାଜାଠାରୁ ବଡ଼, ପାତ୍ରଠାରୁ ସାନ’’ ବୋଲି ନିଜକୁ ମନେ କରୁଛି । ପ୍ରାୟ ୩୦ ବର୍ଷ ତଳେ ମେଡ଼କ୍‍ସ୍ ସାହେବ ଓଡ଼ିଆ ମଜୁରିଆର ଚରିତ୍ର ସମ୍ବନ୍ଧରେ ଯାହା ଲେଖିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ :–

''ଭାରତର ଅନ୍ୟାନ୍ୟ ପ୍ରଦେଶରେ ଯେପରି, ଓଡ଼ିଶାର ଦିନମଜୁରିଆର ଦଶା ନିତାନ୍ତ ଶୋଚନୀୟ । ପ୍ରତିଦିନ ଯାହା ରୋଜଗାର କରେ, ତାହା ସେହି ଦିନ ଖର୍ଚ୍ଚ କରିଦିଏ । ଯେତେବେଳେ ବିପତ୍ତି ପଡ଼େ, ସେତେବେଳେ ନିର୍ଭର କରିବା ପାଇଁ ବା ବିକ୍ରୀ କରିବାପାଇଁ କୌଣସି ସମ୍ବଳ ତାର ନ ଥାଏ । ଯଦି ତାର ଅସୁବିଧା ମୁତାବକ ସହଜରେ ଓ ନିକଟରେ ତାକୁ କାର୍ଯ୍ୟ ନ ଯୋଗାଯାଏ, ତେବେ ତାକୁ ଆଗେ ବିପତ୍ତି ଦାଉ ଭୋଗିବାକୁ ପଡ଼େ । କେବଳ ନିଜର ପେଟ ପୋଷିବା ପାଇଁ ପିଲା କୁଟୁମ୍ୱକୁ ଛାଡ଼ି କୌଣସି ମଜୁରିଆ ଦୂର ସ୍ଥାନକୁ ଯିବାପାଇଁ ଇଚ୍ଛା କରେ ନାହିଁ । ବିହାରୀମାନେ ଯେପରି ନିଜର କୁଟୁମ୍ୱକୁ ଧରି କାର୍ଯ୍ୟ କରିବା ପାଇଁ ଅନ୍ୟ ସ୍ଥାନକୁ ଯାନ୍ତି, ଓଡ଼ିଆମାରେ ତାହା କରନ୍ତି ନାହିଁ ଏବଂ ଓଡ଼ିଆମାନଙ୍କର ଏହି ବଶିଷ୍ଟ ପ୍ରକୃତିଟି ଲକ୍ଷ୍ୟ କରିବାର ଜିନିଷ ।“

ବାସ୍ତବିକ କହିବାକୁ ଗଲେ ଲୋକର ଆର୍ଥିକ ଅବସ୍ଥାରେ ଏହି ଆଳସ୍ୟ-ରାକ୍ଷସ ଯେ ଜୀବନ କିପର ଭାବରେ ମାଟି କରିଦିଏ, ତାହା ବର୍ଣ୍ଣନା କରିବା ଅନାବଶ୍ୟକ; ବିଶେଷତଃ କୃଷକ ଓ ବ୍ୟବସାୟୀ ପକ୍ଷରେ ଏହା ମାରାତ୍ମକ ।

ସଂକ୍ଷେପରେ ନିମ୍ନଲିଖିତ କାରଣ ହେତୁ ପଲ୍ଲୀବାସୀର ଆର୍ଥକ ଅବସ୍ଥା ଉନ୍ନତି ହୋଇ ପାରୁ ନାହିଁ ।

(୧)

ଜନସଂଖ୍ୟା ଯେତେ ପରିମାଣରେ ବୃଦ୍ଧି ପାଇଛି, ତା ଅନୁପାତରେ ଚାଷ ଜମିର ପରିମାଣ ବୃଦ୍ଧି ପାଇ ନାହିଁ ।

(୨)

ବେକାର ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ ।

(୩)

ଚାଷ ଜମି କ୍ରମଶଃ ଛୋଟ ଛୋଟ ହୋଇ ଯାଉଛି ।

(୪)

ଲୋକଙ୍କର ୠଣଭାର ଖୁବ୍ ବେଶୀ ହୋଇ ପଡ଼ିଛି । ଏହାଦ୍ୱାରା କୃଷି ଓ ବ୍ୟବସାୟର ଉନ୍ନତି ଘଟିପାରୁ ନାହିଁ ।

(୫)

ଜମି ଅଳ୍ପ ସମୟ ମଧ୍ୟରେ ବହୁବାର ହସ୍ତାନ୍ତରିତ ହେଉଅଛି । ଏହାଦ୍ୱାରା କୃଷକର ଉତ୍ସାହ କମି ଯାଉଛି ।

(୬)

କରଭାର ଆୟ ତୁଳନାରେ ଖୁବ୍ ବେଶୀ ହୋଇ ପଡ଼ୁଛି ।

(୭)

ଶିକ୍ଷାର ଅଭାବରୁ ଲୋକେ ହାନିଲାଭ ଉତ୍ତମରୂପେ ବୁଝି ପାରୁ ନାହାନ୍ତି ।

(୮)

ପର୍ବ ପର୍ବାଣି, ବିବାହାଦି କାର୍ଯ୍ୟରେ ବହୁବ୍ୟୟିତା ପ୍ରଭୃତି କେତେକ ସାମାଜିକ କୁସଂସ୍କାର ରହିଛି, ଯାହାଦ୍ୱାରା କି ଲୋକଙ୍କର ବହୁତ କ୍ଷତି ହେଉଛି ।

(୯)

କୌଣସି ବ୍ୟବସାୟ ବାଣିଜ୍ୟ କିମ୍ୱା ଉଦ୍‍ଯୋଗ କରିବା ପାଇଁ ଉପଯୁକ୍ତ ଉତ୍ସାହ ଓ ସୁବିଧାର ଯଥେଷ୍ଟ ଅଭାବ ରହିଛି ।

(୧୦)

ଲୋକଙ୍କର ସର୍ବବିଧ ଉନ୍ନତିର ପାଇଁ ସରକାର ଓ ଜନସାଧାରଣଙ୍କର ଚେଷ୍ଟାର ଅଭାବ ।

 

ଏପରି ସ୍ଥଳରେ ଲୋକେ କିପରି ମୁଣ୍ଡ ଟେକି ଉପରକୁ ଉଠିବେ । ଏହିସବୁ ଅଭାବ ଅସୁବିଧା ଦୂର ନ ହେଲେ ଉନ୍ନତି ଅସଂଭବ । ଦେଶର ଉତ୍ସାହୀ, ସଂସ୍କାରପ୍ରୟାସୀ ବ୍ୟକ୍ତିମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର ।

 

ଭାରତର କୃଷକ ଲାଭଆଶାରେ କିମ୍ୱା ଖର୍ଚ୍ଚ ବାଦ ଅଧିକ କିଛି ପାଇବା ଆଶାରେ ପରିଶ୍ରମ କରୁ ନାହିଁ । ପରିଶ୍ରମ କରୁଛି କେବଳ ଯେ କୌଣସି ଭାବେ ବଞ୍ଚି ରହିବା ପାଇଁ ।

 

ଏଥରୁ ଲୋକଙ୍କର ଅବସ୍ଥା କଣ ତାହା ବୁଝାଯିବ, ଅଧିକ ବର୍ଣ୍ଣନା କରି ଲେଖିବା ନିଷ୍ପ୍ରୟୋଜନ ।

Image

 

ସାମାଜିକ ଅବସ୍ଥା

 

ଓଡ଼ିଶାର ପଲ୍ଲୀବାସୀମାନଙ୍କର ସାମାଜିକ ଅବସ୍ଥା ସମ୍ବନ୍ଧରେ ବେଶୀ କିଛି ଲେଖିବା ନିଷ୍ପ୍ରୟୋଜନ । ସାମାଜିକ କୁସଂସ୍କାର ନେଇ ଅନେକ ଦିନ ହେଲା ଆଲୋଚନା ହୋଇ ଆସୁଛି । ଲୋକମାନେ ଉଣା ଅଧିକରେ କଛି ଜାଣନ୍ତି ।

 

ଯେଉଁଥିପାଇଁ ମନୁଷ୍ୟକୁ ସାମାଜକ ଜୀବ ବୋଲି କହନ୍ତି, ସେହିତକ ଯେପରି ଓଡ଼ିଶାରୁ ଲୋପ ନ ପାଏ, ସେଥିପାଇଁ ଚେଷ୍ଟା କରିବାକୁ ହେବ । ଦୟା, ଦାକ୍ଷିଣ୍ୟ, ସହଯୋଗିତା ନ ଥିଲେ ମନୁଷ୍ୟ ମନୁଷ୍ୟ ହୋଇ ପରିଚିତ ହୋଇପାରିବ ନାହିଁ । ମନୁଷ୍ୟତ୍ୱର ଅଭାବରୁ ଆମ ଦେଶରେ କି ଅନିଷ୍ଟ ଘଟୁ ନାହିଁ ? ପରସ୍ପର ପ୍ରତି ଅଶ୍ରଦ୍ଧା, ଅବିଶ୍ୱାସ ନ ଥିଲେ ଦେଶଟା ଆଜି ମକଦ୍ଦମାରେ ବୁଡ଼ି ରହି ନ ଥାନ୍ତା, କି କୁଟା ଛିଣ୍ଡାଇବା ପାଇଁ କୁରାଢ଼ି ଦରକାର ପଡ଼ୁ ନ ଥାନ୍ତା, କି ଦେଶର ଲକ୍ଷ ଲକ୍ଷ ଟଙ୍କା ବୃଥାରେ ବ୍ୟୟ ହେଉ ନ ଥାନ୍ତା ।

 

ଯେଉଁ ଦିନ ଦେଶରେ ସହଯୋଗିତାର ପତାକା ଉଡ଼ିବ, ଲୋକେ ମକଦ୍ଦମାର ମୋହ ଛାଡ଼ିବେ, ସେହି ଦିନ କେବଳ ଦେଶ ଉଦ୍ଧାର ପାଇଲା ବୋଲି ବିବେଚନା କରିବାକୁ ହେବ ।

 

ଆମ ହିନ୍ଦୁ ସମାଜରେ ଏତେ ଆବର୍ଜ୍ଜନା ପୁରି ରହିଛି ଯେ, ସେଗୁଡ଼ିକୁ ଲେଖିବସିଲେ ଗୋଟିଏ ବିରାଟ ଗ୍ରନ୍ଥ ହୋଇଯିବ । ସଂକ୍ଷେପରେ କେତୋଟି ଉଲ୍ଲେଖ କଲି । ଦେଶର ଶିକ୍ଷିତ ସଂପ୍ରଦାୟର ଦୃଷ୍ଟି ଏଥିପ୍ରତି ଅଚିରେ ପଡ଼ିବା ଯେ ନିତାନ୍ତ ଦରକାର, ଏହା କହିବା ବାହୁଲ୍ୟ ମାତ୍ର ।

 

(୧)

ବାଲ୍ୟ ବିବାହ–ବାଲ୍ୟ ବିବାହ ହେତୁ ହିନ୍ଦୁ ଜାତି ଛାରଖାର୍ ହେବାକୁ ବସିଲାଣି । ଏହାର ମୂଳୋଚ୍ଛେଦ ହେଲେ ଯାଇ ଦେଶର ମଙ୍ଗଳ ।

(୨)

ବିଧବା ବିବାହ–ବିଧବାର ନିଶ୍ୱାସରେ ହିନ୍ଦୁଜାତିର କି ଅବନତି ଘଟି ନାହିଁ ? ଏହି ପତନୋନ୍ମୁଖ ହିନ୍ଦୁଜାତିକୁ ରକ୍ଷା କରିବାକୁ ହେଲେ ବିଧବା ବିବାହ ଏକାନ୍ତ କର୍ତ୍ତବ୍ୟ ।

(୩)

ବିବାହ ସମୟରେ ବରପଣ ଓ କନ୍ୟାସୁନା ପରି ଅତି ଜଘନ୍ୟ ପ୍ରଥା ହିନ୍ଦୁ ସମାଜକୁ କଳଙ୍କିତ କରି ଦେଇଛି । ଏହଦ୍ୱାରା ମନୁଷ୍ୟ ରାକ୍ଷସ ପାଲଟି ଯାଇଛି । ମାନବୀୟ, ମାନମର୍ଯ୍ୟଦା ଲୋପ ପାଇ ଯାଇଛି । ଏହାର ସମୂଳୋତ୍ପାଟନ ନ ହେଲେ ଉନ୍ନତି ଅସମ୍ଭବ ।

(୪)

ବିବାହ, ବ୍ରତ, ବନ୍ଦାପନା, ଶ୍ରାଦ୍ଧ, ପର୍ବପର୍ବାଣିରେ ଆମ୍ଭେମାନେ ଯେଉଁପରି ଭାବରେ ଅଜସ୍ର ଧନ ଅନାବଶ୍ୟକ ବ୍ୟୟ କରୁଥାଇଁ, ସେଥିରେ ଆମ୍ଭମାନଙ୍କର ଉନ୍ନତି ବା କିପରି ସମ୍ଭବପର ହେବ ? ଯେତିକି ନ କଲେ ନ ଚଳେ, ସେତିକି କରିବାକୁ ହେବ । ଢମ ରକ୍ଷା କରିବାକୁ ଚେଷ୍ଟା କଲେ ଅବନତି ଛଡ଼ା ଉନ୍ନତି ଅସମ୍ଭବ । ଏହି ବୃଥା ବ୍ୟୟଗୁଡ଼ିକୁ ଯେତେ ଶୀଘ୍ର ହ୍ରାସ କରାଇ ଦିଆଯାଇ ପାରେ, ସମାଜର ତେତେ ମଙ୍ଗଳ ।

(୫)

ମନୁଷ୍ୟ ଦେହରେ କୁଷ୍ଠରୋଗ ଯେପରି, ସମାଜରେ ଅସ୍ପୃଶ୍ୟତା ସେହିପରି । ମହାମାନବ ମହାତ୍ମା ଗାନ୍ଧି ଅସ୍ପୃଶ୍ୟତାରୂପୀ ଏହି ରାକ୍ଷସକୁ ବଧ କରିବାକୁ ପ୍ରାଣପଣେ ଚେଷ୍ଟା କରୁଅଛନ୍ତି । ଏହି କୁସଂସ୍କାରର ଦୂରୀକରଣରେ ପ୍ରତ୍ୟେକ ହିନ୍ଦୁ ମନପ୍ରାଣ ଢାଳିଦେବା ଉଚିତ ।

(୬)

ଭାରତର ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ଓଡ଼ିଶାରେ ନିଶା ଦ୍ରବ୍ୟର ବ୍ୟବହାର ବେଶୀ । ପ୍ରାୟ ୪୫ ଲକ୍ଷ ଟଙ୍କା ଅବକାରୀ ବିଭାଗରୁ ଓଡ଼ିଶାରେ ଆଦାୟ ହୁଏ । ୫୩ ଲକ୍ଷ ଲୋକଙ୍କ ଠାରୁ ୪୫ ଲକ୍ଷ ଟଙ୍କା ଅବକାରୀରୁ ଆୟ, ଏହା ଶୁଣିଲା ବେଳକୁ ଯେ କୌଣସି ଚିନ୍ତାଶୀଳ ବ୍ୟକ୍ତି, ସ୍ତମ୍ଭୀଭୂତ ନ ହୋଇ ରହି ପାରିବେ ନାହିଁ । ଏହି ନିଶାଦ୍ୱାରା ଲୋକେ ମନୁଷ୍ୟତ୍ୱ ହରେଇଲେଣି । ଜାତିର ମେରୁଦଣ୍ଡ ଭାଙ୍ଗି ପଡ଼ିଲାଣି । ଏହି ସର୍ବଗ୍ରାସୀ, ମାରାତ୍ମକ ଦୂରଭ୍ୟାସ ଲୋପ ନ ପାଇଲେ ଜାତିର ଦଶା କଣ ହେବ, କହି ହେଉ ନାହିଁ ।

(୭)

ହିନ୍ଦୁ ସମାଜରେ ନାରୀର ସ୍ଥାନ ନେଇ କଣ ଲେଖିବି ? ହିନ୍ଦୁ ନାରୀର ଦୁଃଖ ଦୁର୍ଦ୍ଦଶା କଣ ବୋଲି ବର୍ଣ୍ଣନା କରିବି ? ନାମ ମାତ୍ରକେ ନାରୀ ‘‘ଅଦ୍ଧାଙ୍ଗିନୀ’’ ବୋଲି ପରିଚିତ ହେଉଥିଲେହେଁ କାର୍ଯ୍ୟତଃ ସେ କ୍ରୀତଦାସୀଠାରୁ କୌଣସି ଅଂଶରେ ଉଚ୍ଚ ନୁହେଁ । ନାରୀ ଗୃହପାଳିତ ପଶୁ ତୁଲ୍ୟ ବ୍ୟବହାର ପାଉଛି । ଯେତେଦୂର ଅବମାନନା କରା ଯାଇ ପାରେ, ତାକୁ ସେତେଦୂର ଅବମାନନା କରାଯାଉଛି । ମାତୃଜାତିକୁ ଅବମାନନା କରି ପୃଥିବୀର କୌଣସି ଜାତିର ଉନ୍ନତି ନାହିଁ । ହିନ୍ଦୁ ଜାତିର ବା ଉନ୍ନତି କିପରି ସମ୍ଭବପର ହେବ ? ଯେଉଁ ଦିନ ମାତୃଜାତିର ଚକ୍ଷୁ ଖୋଲିବ, ସେହି ଦିନ ଜାତିର ଭାଗ୍ୟରବି ଉଦୟ ହେବ । ମାତୃଜାତିକୁ ପୁଜା କରି ନ ଶିଖିଲେ ଦେଶର ମଙ୍ଗଳ ହୋଇ ପାରିବ ନାହିଁ । ନାରୀମାନେ ଗୃହରେ କିପରି ତାଙ୍କର ନ୍ୟାଯ୍ୟ ଅଧିକାର ପାଇବେ, କିପରି ଆର୍ଥକ ଦିଗରେ ସ୍ୱତନ୍ତ୍ରତା ଲାଭ କରିବେ, ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ ହେବ । ଅନ୍ଧକାର ଗହ୍ୱର ମଧ୍ୟରୁ ମାତୃଜାତିକୁ ଆଲୋକକୁ ଆଣିବାକୁ ହେବ । ସଂସାର ଯାତ୍ରାରେ ପୁରୁଷମାନଙ୍କ ସହିତ କିପରି ସମକକ୍ଷ ହୋଇ ପାରଙ୍ଗମ ହେବେ, ସେଥିପାଇଁ ଉଦ୍‍ଯୋଗ କରିବାକୁ ହେବ । ସେମାନଙ୍କୁ ଜୀବନସଂଗ୍ରାମରେ ଉପଯୁକ୍ତ କରିବାକୁ ହେଲେ, ଗୃହ ସଂସାରକୁ ସୁଖମୟ କରିବାକୁ ହେଲେ ସେମାନଙ୍କ ପାଇଁ ଉତ୍ତମ ଶିକ୍ଷାର ବ୍ୟବସ୍ଥା କରିବାକୁ ହେବ । ନୈଶବିଦ୍ୟାଳୟ, ବାଳିକା ବିଦ୍ୟାଳୟ, ମହିଳା ବିଦ୍ୟାଳୟ ପ୍ରଭୃତିର ପ୍ରତିଷ୍ଠା କରି ନାରୀ ଜାତିକୁ ଶିକ୍ଷାଦାନ କରିବାକୁ ହେବ । ମାତୃଜାତିର ମଙ୍ଗଳରେ ଜାତିର ମଙ୍ଗଳ ।

 

ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖ ନ କରି ରହି ପାରୁ ନାହିଁ । ଯେତେ ଦିନ ପର୍ଯ୍ୟନ୍ତ ପର୍ଦା ପ୍ରଥା ପ୍ରଚଳିତ ଥିବ, ସେତେ ଦିନ ପର୍ଯ୍ୟନ୍ତ ନାରୀ ଜାତିର ଉନ୍ନତି ଅଶା କରିବା ବୃଥା-। ଏହି କୁ-ପ୍ରଥାଦ୍ୱାରା ନାରୀମାନଙ୍କର ଶାରୀରିକ ଅବନତି ଘଟିବା ସଙ୍ଗେ ସଙ୍ଗେ ମାନସିକ ଅବନତି ମଧ୍ୟ ଯଥେଷ୍ଟ ପରିମାଣରେ ଘଟୁଛି । ଯେଉଁମାନେ ପର୍ଦାଦ୍ୱାରା ନାରୀ ଜାତିକୁ ନିଷ୍କଳଙ୍କ କରି ରଖିପାରିବେ ବୋଲି ବିଶ୍ୱାସ କରୁଛନ୍ତି, ସେମାନେ ଯେ ଭୁଲ୍ କରୁଛନ୍ତି ତାହା ବ୍ୟକ୍ତ କରି ହେଉ ନାହିଁ । ମହାତ୍ମା ଗାନ୍ଧୀଙ୍କ ଭାଷାରେ କହିବାକୁ ଗଲେ–‘‘ନାରୀର ଶୁଚିତା ପର୍ଦାରେ ନୁହେଁ, ତାର ହୃଦୟରେ ।” ଏହି ପର୍ଦା ପ୍ରଥା କିପରି ଲୋପ ପାଇବ, ସେଥିପାଇଁ ପ୍ରଚାର କରିବା ଦରକାର-

Image

 

ଶିକ୍ଷା

 

ଉତ୍କଳର ପଲ୍ଲୀମାନଙ୍କରେ ଶିକ୍ଷାର ବିସ୍ତାର ସନ୍ତୋଷଜନକ ଭାବରେ ହୋଇ ପାରି ନାହିଁ-। ଓଡ଼ିଶା ଡିଭିଜନ ଓ ଗଡ଼ଜାତରେ ମିଶି ଯେତେ ସ୍କୁଲ ଅଛି, ତାହା ଯଥେଷ୍ଟ ନୁହେଁ । ଓଡ଼ିଶା ଡିଭିଜନରେ ଶତକଡ଼ା ୭ ଜଣ ଓ ଗଡ଼ଜାତରେ ଶତକଡ଼ା ୩ ଜଣ ଲେଖି ପଢ଼ି ଜାଣନ୍ତି । ଏଥିରୁ ଶିକ୍ଷାର ଅବସ୍ଥା କି ଶୋଚନୀୟ, ତାହା ସହଜରେ ଜଣା ପଡ଼ିବ । ଶିକ୍ଷାର ପ୍ରସାର ପାଇଁ ସରକାର ଓ ଜିଲ୍ଲାବୋର୍ଡ଼ମାନେ ଯାହା ଖର୍ଚ୍ଚ କରୁଛନ୍ତି, ତାହା କିଛି ନୁହେଁ କହିଲେ ଚଳେ । ପ୍ରତ୍ୟେକ ଗ୍ରାମରେ ଯେପରି ସ୍କୁଲ ରହେ ତାର ବ୍ୟବସ୍ଥା କରିବାକୁ ହେବ । ବହୁସଂଖ୍ୟାରେ ନୈଶ ବିଦ୍ୟାଳୟ ବସାଇବାକୁ ହେବ । ଯେଉଁମାନେ ଦିନବେଳେ କାମ କରୁଛନ୍ତି, ସେମାନେ ସ୍କୁଲର ସୁବଧା ପାଇ ପାରୁ ନାହାନ୍ତି, ସେମାନଙ୍କର ସୁବିଧା ପାଇଁ ଏହି ନୈଶବିଦ୍ୟାଳୟର ଅବଶ୍ୟକତା ଯଥେଷ୍ଟ । ଏଠାରେ ପିଲାଠାରୁ ବୟସ୍କମାନେ ସମସ୍ତେ ପଢ଼ି ପାରବେ । ଶିକ୍ଷା କେବଳ ପୋଥିଗତ ନ ହୋଇ କିପରି ପ୍ରକୃତ କର୍ମକ୍ଷେତ୍ରରେ କାର୍ଯ୍ୟକାରୀ ହେବ, ସେହିପରି ବ୍ୟବସ୍ଥା କରିବାକୁ ହେବ । କୃଷି, ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ସମ୍ବନ୍ଧରେ ସାଧାରଣ ଭାବରେ ଜ୍ଞାନ ହେଲା ଭଳି ଶିକ୍ଷା ଦିଆଯିବା ଦରକାର । ଏହାଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବୈଷୟିକ ଦିଗରେ ମଧ୍ୟ ପଲ୍ଲୀବାସୀର ଯଥେଷ୍ଟ ସାହସ ବୃଦ୍ଧି ପାଇବ ।

 

ମହିଳାମାନଙ୍କୁ କିପରି ଶିକ୍ଷା ଦିଆଯିବ, ତାର ବନ୍ଦୋବସ୍ତ ହେବା ଦରକାର । ବହୁ ସଂଖ୍ୟାରେ ବାଳିକା ବିଦ୍ୟାଳୟ ବସାଇବାକୁ ହେବ । ଯେଉଁମାନେ ପର୍ଦା-ନସୀନ, ସେମାନଙ୍କ ପାଇଁ ସ୍ଵତନ୍ତ୍ର ସ୍କୁଲ ହେବା ଦରକାର ।

 

ଏ ସମ୍ବନ୍ଧରେ ଉଦାସୀନ ରହିଲେ ଦେଶର ଘୋର କ୍ଷତି ହେବ । ଶିକ୍ଷାର ଅଭାବରୁ ପଲ୍ଲୀବାସୀ ବହୁତ କଷ୍ଟ ଭୋଗ କରୁଛନ୍ତି । ଜାତି ମଧ୍ୟ ଅବମାନିତ, ଲାଞ୍ଚ୍ଥିତ ହେଉଅଛି ।

Image

 

ସ୍ୱାସ୍ଥ୍ୟ

 

ଆମ ଦେଶର ପଲ୍ଲୀମାନଙ୍କରେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଲୋକମାନଙ୍କର ଆଦୌ ଧାରଣା ନାହିଁ କହିଲେ ଚଳେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ଧାରଣା ଥିଲେ ଗ୍ରାମଗୁଡ଼ିକର ଅବସ୍ଥା ଏପରି ଶୋଚନୀୟ ହୋଇ ନ ଥାନ୍ତା । କୌଣସି ଗ୍ରାମରେ ପାଇଖାନା ନାହିଁ , ପରିଷ୍କୃତ କୂଅ ଓ ପୋଖରୀ ନାହିଁ, ଖୋଲା ପଡ଼ିଆ ଖୁବ୍ ଅଳ୍ପସଂଖ୍ୟକ ଗ୍ରାମରେ ଦେଖାଯାଏ, ଅଧିକାଂଶ ଗ୍ରାମର ରାସ୍ତା ଅପରିଷ୍କୃତ ଓ ଘରଗୁଡ଼ିକ ନିତାନ୍ତ ଅସ୍ୱାସ୍ଥ୍ୟକର । ଏପରି ସ୍ଥଳେ ଲୋକଙ୍କର ସ୍ୱାସ୍ଥ୍ୟ ବା କିପରି ଭଲ ରହିବ ? ଏହି ଅପରିଷ୍କାର ଅପରିଚ୍ଛନ୍ନତା ଯୋଗୁଁ ପ୍ରତିବର୍ଷ ହଜାର ହଜାର ଲୋକ ହଇଜା, ବସନ୍ତ, ମ୍ୟାଲେରିଆରେ ମରୁଛନ୍ତି । କୂଅ, ଗାଡ଼ିଆ, ପୋଖରୀ, ରାସ୍ତାରେ ହଇଜା ମ୍ୟାଲେରିଆର ବୀଜ ବୁଣା ହୋଇ ରହିଅଛି । ଲୋକେ ମ୍ୟାଲେରିଆ, ନ୍ୟୁମୋନିଆରେ ଆକ୍ରାନ୍ତ ହୋଇ ଯେଉଁ କଷ୍ଟ ଅନୁଭବ କରୁଛନ୍ତି, ତାହା ବର୍ଣ୍ଣନା କରି ହେବ ନାହିଁ । ଥରେ ମ୍ୟାଲେରିଆରେ ପଡ଼ିଲେ ଲୋକର ସମସ୍ତ ଶକ୍ତି କେଉଁ ଆଡ଼େ ଉଭେଇ ଯାଉଛି, ସେ ଅକର୍ମଣ୍ୟ ହୋଇ ପଡ଼ୁଛି । ଅନେକ ଡାକ୍ତରଙ୍କର ମତ ଯେ, କେବଳ ଏହି ମ୍ୟାଲେରିଆ ହେତୁ ଅଧିକାଂଶ କୃଷକ ଓ ମଜୁରିଆମାନଙ୍କର ବର୍ଷକରେ ୩ ମାସର ପରିଶ୍ରମ ପଣ୍ତ ହୋଇ ଯାଉଛି ।

ପଲ୍ଲୀଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରି ଭଲ ରଖି ଲୋକଙ୍କ ସ୍ୱାସ୍ଥ୍ୟ ରଖିବାକୁ ହେଲେ ନିମ୍ନଲିଖିତ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବା ଦରକାର ।

(୧)

ପ୍ରତ୍ୟେକ ଗ୍ରାମରେ ପାଇଖାନା ରଖିବାକୁ ହେବ । ଯେଉଁଠାରେ ବା ସେପରି ସୁବଧା ନାହିଁ, ସେହିଠାରେ ଲୋକେ ଗ୍ରାମର ଅନେକ ଦୂରକୁ ଯାଇ ଖୋଲା ପଡ଼ିଆରେ ଖାତ ଖୋଳି ମଳ ତ୍ୟାଗ କରିବାକୁ ହେବ ।

(୨)

ଗ୍ରାମର ରାସ୍ତାସବୁ ପରିଷ୍କାର ରଖିବାକୁ ହେବ । ଯେଉଁସବୁ ଅନାବଶ୍ୟକ ଲତା ଗୁଳ୍ମ ରାସ୍ତା ଉପରକୁ ମାଡ଼ି ଆସୁଥିବ, ତାକୁ ହାଣି ଫୋପାଡ଼ି ଦେବାକୁ ହେବ ।

(୩)

ପ୍ରତ୍ୟେକ ଘରେ ମୁକ୍ତ ପବନ ଯା-ଆସ କରିବା ପାଇଁ ଝରକା ରହିବା ଦରକାର ।

(୪)

ଗୋରୁ ଗୁହାଳ, ରୋଷଇ ଘର ଘରର ସାମନାରେ ରହିବା ଉଚିତ ନୁହେଁ ।

(୫)

ଯେଉଁ ପୋଖରୀରୁ ପାଣି ଖାଇବ, ସେହି ପୋଖରୀରେ ଗୋରୁ ଗାଈ ଗାଧୋଇବା ମନା କରିଦେବାକୁ ହେବ ।

(୬)

ନାଳ, ପୋଖରୀ, ଗାଡ଼ିଆରୁ ଦଳସବୁ ପରିଷ୍କାର କରି ବାହାର କରିଦେବାକୁ ହେବ ।

(୭)

ଶରୀର ବଳବୃଦ୍ଧି ପାଇଁ ଏବଂ ସ୍ଵାସ୍ଥ୍ୟକୁ ଭଲ ରଖିବାପାଇଁ ପ୍ରତିଦିନ ନିୟମିତ ଭାବରେ ବ୍ୟାୟାମ କରିବାକୁ ହେବ । ଏଥିପାଇଁ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଘର ତିଆର କରି ଦେଶୀ-କସରତ ଖେଳ ପ୍ରଭୃତି ଶିକ୍ଷା ଦେବାକୁ ହେବ ।

(୮)

କୌଣସି ବେମାରୀ ହେବା ସଙ୍ଗେ ସଙ୍ଗେ ସୁବିଧା ଥିଲେ ଡାକ୍ତର କିମ୍ବା କବିରାଜଙ୍କର ପରାମର୍ଶ ନେବାକୁ ହେବ ।

 

ଏପରି କଲେ ଯେ ପଲ୍ଲୀର ସ୍ଵାସ୍ଥ୍ୟ ଖୁବ୍ ଭଲ ହେବ, ଏଥିରେ ସନ୍ଦେହ ନାହିଁ । ଆମ ଦେଶରେ ଏହି ଶିକ୍ଷା ଦେବାପାଇଁ ବ୍ୟବସ୍ଥା କାହିଁ ? ଦେଶର ଯେଉଁ ଉତ୍ସହୀ କର୍ମୀମାନେ ପଲ୍ଲୀସଂସ୍କାର ଦିଗରେ ଜୀବନ ପର୍ଯ୍ୟନ୍ତ ଦାନ କରିବାପାଇଁ ପ୍ରସ୍ତୁତି ଅଛନ୍ତି, ସେମାନେ ଏହା ଅତି ହଜରେ କରି ପାରିବେ ବୋଲି ମୋର ଆଶା ରହିଛି ।
 

ଏହି ବିଭାଗରେ ସରକାରଙ୍କର କର୍ତ୍ତବ୍ୟ ଯେତେ, ସେତେ ସେ କରି ପାରୁ ନାହାନ୍ତି । ମାନ୍ଦ୍ରାଜ ସରକାର ସ୍ୱାସ୍ଥ୍ୟ ସଂବନ୍ଧରେ ଖୁବ୍ ଯତ୍ନ କରୁଥିବା ବଡ଼ ଆନନ୍ଦର କଥା । ଭବିଷ୍ୟତ୍ ଉତ୍କଳ ସରକାର ଯଦି ଏଥିପ୍ରତି ବିଶେଷ ଦୃଷ୍ଟି ଦିଅନ୍ତେ, ତେବେ ବହୁତ ଉପକାର ହୋଇ ପାରନ୍ତା । ସରକାରଙ୍କୁ ଛାଡ଼ି ମଧ୍ୟ ବେସରକାରୀ ଭାବରେ ଅନେକ କାର୍ଯ୍ୟ କରାଯାଇ ପାରନ୍ତା । ଅନ୍ୟାନ୍ୟ ପ୍ରଦେଶରେ ପଲ୍ଲୀ ସ୍ୱାସ୍ଥ୍ୟର ଉନ୍ନତିପାଇଁ କେତେ ଗୋଟି ଅନୁଷ୍ଠାନ ପ୍ରତିଷ୍ଠିତ ହୋଇ ଅଳ୍ପ ସମୟ ମଧ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରି ସାରିଲେଣି । ବୋମ୍ୱେ ପ୍ରଦେଶର ପଲ୍ଲୀ ଚିକିସ୍ଥା ସହାୟ ପ୍ରଣାଳୀ (Village Medical Aid Scheme) ବହୁତ ଅଗ୍ରସର ହୋଇ ସାରିଲାଣି । ଗ୍ରାମର ସ୍କୁଲ ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟ ସଂବନ୍ଧରେ ଶିକ୍ଷା ଦେଇ ଏହି ସଂଘ ବହୃତ କାର୍ଯ୍ୟ କରିସାରିଲାଣି । ଏହି ଶିକ୍ଷକମାନଙ୍କୁ ସାଧାରଣତଃ “ଉପଚାରକ”ବୋଲ କୁହାଯାଏ ।

 

ବଙ୍ଗ ଦେଶର ପ୍ରତିବର୍ଷ ସହଯୋଗ ମ୍ୟାଲେରିଆ ନିବାରିଣୀ ସମିତି (Co-operative Anti-Malarial Society) ହଜାର ହଜାର ଲୋକଙ୍କୁ ମ୍ୟାଲେରିଆରୁ ରକ୍ଷା କରୁଛନ୍ତି । ପୁନାର ସେବା ସଦନ ମଧ୍ୟ ଏ ଦିଗରେ ଯଥେଷ୍ଟ କାମ କରୁଛି । ଆମ ଦେଶରେ ସେମାନଙ୍କର ଅନୁକରଣରେ କାର୍ଯ୍ୟ ଆରମ୍ଭ ହେଲେ ଅଚିରେ ଦେଶର ଅବସ୍ଥା ପରିବର୍ତ୍ତିତ ହୋଇପାରନ୍ତା ।

Image

 

ଉପସଂହାର

 

ଉତ୍କଳର ପଲ୍ଲୀବାସୀଙ୍କର ଆର୍ଥିକ ଅବସ୍ଥା, ସାମାଜିକ ଅବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ସଂବନ୍ଧରେ ସଂକ୍ଷେପରେ ଆଲୋଚନା କରି ସେମାନଙ୍କର ଅସୁବିଧା ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବାପାଇଁ ଚେଷ୍ଟା କରିଛି । କଣ କଲେ ସେମାନଙ୍କର ଅବସ୍ଥା ଉନ୍ନତି ଦିଗରେ ପରିବର୍ତ୍ତତ ହେବ, ସେ ବିଷୟରେ କିଛି କିଛି କହିଛି । ବିଶେଷ ଭାବରେ ଆଉ ବର୍ଣ୍ଣନା କରିବା ନିଷ୍ପ୍ରୟୋଜନ ।

 

ଆଉ ଗୋଏ ବିଷୟ ଦେଖିବାର କଥା । ଯେଉଁମାନେ ଗାଁର ଅବସ୍ଥା ଭଲ କରି ଆଲୋଚନା କରିବେ ସେମାନେ ଦେଖିବେ-ଆମ ଲୋକଙ୍କର ଦେଶ କଣ, ରାଜ୍ୟ କଣ, ରାଜା କଣ, ପରାଧୀନତା କଣ, ସ୍ୱାଧୀନତା କଣ, ସେମାନେ ସେ ସଂବନ୍ଧରେ ଆଦୌ କିଛି ଜାଣନ୍ତି ନାହିଁ । ଏହା ଯେ ଦେଶ ପକ୍ଷରେ କି ଘୋର ପରିତାପର ବିଷୟ, ତାହା ଏଠାରେ ବ୍ୟକ୍ତି କରି ପାରୁ ନାହିଁ । ଅନ୍ତତଃ ପକ୍ଷେ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ କଣ, ତାହା ସେମାନେ କି ଉପାୟରେ ପାଇ ପାରନ୍ତି, ତାଙ୍କ ପ୍ରତି ସରକାରଙ୍କର କର୍ତ୍ତବ୍ୟ କଣ, ଏହା ସେମାନେ ଜାଣିବା ଉଚିତ । ଅଜ୍ଞତା ହେତୁ ଅଯଥା ଭୟ ସେମାନଙ୍କ ମନରେ ଯଥେଷ୍ଟ ରହିଛି । ଜାତିର ଉନ୍ନତିପଥରେ ଏହା ଗୋଟିଏ ପ୍ରଧାନ ଅନ୍ତରାୟ । ସଂସ୍କାର ପ୍ରୟାସୀ କର୍ମୀମାନେ ଏଥିପ୍ରତି ବିଶେଷ ଦୃଷ୍ଟି ରଖିବେ ବୋଲି ମୋର ଆଶା ।

 

ଭାରତରେ ବର୍ତ୍ତମାନ ଅନେକ ସ୍ଥଳରେ ଗ୍ରାମସଂଗଠନ ବିଷୟରେ କାର୍ଯ୍ୟ ଆରମ୍ଭ ହେଲାଣି । ବଡ଼ ବଡ଼ ନେତାମାନେ ଏଥିପ୍ରତି ଦୃଷ୍ଟି ଦେଲେଣି । ବଡ଼ ଆଶା ଓ ଆନନ୍ଦର କଥା ଯେ, ଏଥର ବମ୍ବେ କଂଗ୍ରେସରେ ନିଖିଳ ଭାରତ ଗ୍ରାମ ଉଦ୍ୟୋଗ ସଂଘର ପରିକଳ୍ପନା କରାହୋଇ ପଲ୍ଲୀଶିଳ୍ପ ବିଷୟକ ପ୍ରସ୍ତାବ ପାସ୍ ହୋଇଛି । ଗ୍ରାମ ଶିଳ୍ପ ଉନ୍ନତି, ଗ୍ରାମବାସୀଙ୍କ ନୈତିକ ଓ ଶାରୀରିକ ଉନ୍ନତି ବିଧାନ ଦ୍ୱାରା ଗ୍ରାମ ସଂଗଠନ ଏହାର ଉଦ୍ଦେଶ୍ୟ । ମହତ୍ମା ଗାନ୍ଧୀଙ୍କ ନିର୍ଦେଶରୁ ଜଣାଯାଏ ଯେ, ରାଜନୀତି ସହିତ ସମ୍ବନ୍ଧଶୂନ୍ୟ, ସ୍ୱତନ୍ତ୍ର ଆତ୍ମପ୍ରତିଷ୍ଠ ଏହି ପ୍ରତିଷ୍ଠାନଟି ପରିଚାଳକ ବୋର୍ଡ଼ ଦ୍ଵାରା ପରିଚାଳିତ ହେବ । ଭାରତର ବିଶିଷ୍ଟ ଧନୀ, ବିଦ୍ୱାନ୍, ତ୍ୟାଗୀ ଲୋକେ ଏହାର ପରିଚାଳକ ଏବଂ ଉପଦେଷ୍ଟା ସ୍ଵରୂପ ରହିଅଛନ୍ତି । ଏହି ସମିତିର କାର୍ଯ୍ୟ–ମଝିରେ ମଝିରେ ଗ୍ରାମ ସଂଗଠନ କାର୍ଯ୍ୟର ନିର୍ଘଣ୍ଟ ଓ ସଂଜ୍ଞା-ନିର୍ଦ୍ଧାରଣ, ବିଭିନ୍ନ କେନ୍ଦ୍ରମାନଙ୍କ ଅନୁସୃତ ନୀତି ଓ କାର୍ଯ୍ୟର ସମନ୍ୱୟ ସାଧନ, ପ୍ରତିନିଧି ଓ କର୍ମୀମାନଙ୍କ ଦ୍ୱାରା ସଂଗୃହୀତ ବର୍ତ୍ତମାନ ଉନ୍ନତିଶୀଳ ଓ ଲୁପ୍ତପ୍ରାୟ ଗ୍ରାମ୍ୟ ଶିଳ୍ପାଦି ସମ୍ୱନ୍ଧରେ ପ୍ରକୃତ ସଂବାଦର ତୁଳନାମୂଳକ ଆଲୋଚନା ଓ ପ୍ରଚାର ଏବଂ ଗ୍ରାମବାସୀଙ୍କ ଆର୍ଥିକ, ନୈତିକ ଓ ଶାରୀରିକ ଅବସ୍ଥା ସମ୍ବନ୍ଧରେ ତଥ୍ୟ ସଂଗ୍ରହ, ପଲ୍ଲୀ ଶିଳ୍ପଗୁଡ଼ିକର ବିକ୍ରୟର ସୁବ୍ୟବସ୍ଥା ଓ ତାହା ବୃଦ୍ଧି କରିବାର ଚେଷ୍ଟା ଓ ସେଥିପାଇଁ ଭଲ ବଜାର ଦେଖି ଠିକ୍ କରିବା ପାଇଁ ଚେଷ୍ଟା । ସେଥିପାଇଁ ଖୁବ୍ ଅଳ୍ପ ବ୍ୟୟରେ କାର୍ଯ୍ୟ ପ୍ରଣାଳୀ ଏମାନେ ଆବିଷ୍କାର କରିବେ । ଉଆର୍ଦ୍ଧା ଏହି ସମିତିର ପ୍ରଧାନ କେନ୍ଦ୍ର ସ୍ଥାନ ହେବ ।

 

ଯେଉଁ ମାନେ ନିଜର ଜୀବିକାର୍ଜ୍ଜନ ବ୍ୟବସ୍ଥା ସହିତ ସାମଞ୍ଜସ୍ୟ ରଖି ବଳକା ସମୟ ଏହି କାର୍ଯ୍ୟ ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି, ସେମାନଙ୍କ ମଧ୍ୟରୁ ଏଜେଣ୍ଟ ଓ କର୍ମୀ ବଛା ହେବେ । ଏଜେଣ୍ଟମାନେ ବେତନ ନେବେ ନାହିଁ ଓ ଆଇନଅମାନ୍ୟ ଆନ୍ଦୋଳନରେ ଯୋଗ ଦେବେ ନାହିଁ ବୋଲି ପ୍ରତିଶ୍ରୁତି ପତ୍ରରେ ସ୍ୱାକ୍ଷର କରିବେ । ସଂଘର ଉଦ୍ଦେଶ୍ୟ ପ୍ରତି ସହାନୁଭୂତିବଶ ହୋଇ ଯେଉଁମାନେ ବାର୍ଷିକ ଟ ୧୦୦ ଚାନ୍ଦା ଦେବେ, ସେମାନେ ସଂଘର ସହଯୋଗୀ ସଭ୍ୟ ହେବେ । ଏକକାଳୀନ ଟ ୧୦୦୦ ଦେଲେ ଜୀବନକାଳ ପର୍ଯ୍ୟନ୍ତ ଯେ କେହି ସହଯୋଗୀ ସଭ୍ୟ ହୋଇପାରିବେ ।

 

ସଂଘର ପରିଚାଲକ ବୋର୍ଡ଼ ବିଭିନ୍ନ ସ୍ଥାନରେ ଏଜେନ୍ସି ପ୍ରତିଷ୍ଠା କରୁଛନ୍ତି ଏବଂ ଆଗରୁ ଦେଶର ଜନସାଧାରଣଙ୍କୁ କେତେଗୁଡ଼ିଏ ପ୍ରାରମ୍ଭିକ କାର୍ଯ୍ୟ ଶୀଘ୍ର କରିବାକୁ ଅନୁରୋଧ କରିଛନ୍ତି । ଯଥା–କଳତିଆରି ଜିନିଷ ଅପେକ୍ଷା ଢେଙ୍କୀ କୁଟା ଚାଉଳ, ଚକି ପେଷା ଅଟା ଓ ଗାଁରେ ରନ୍ଧା ଯାଇଥିବା ଗୁଡ଼ ବ୍ୟବହାର କରିବା, ଗ୍ରାମର ସ୍ଵାସ୍ଥ୍ୟ ଉନ୍ନତି ପାଇଁ ଅବିଳମ୍ବେ ଗ୍ରାମ ରାସ୍ତା ତିଆରି କରି ଉନ୍ନତ ଓ ସୁବିଧାଜନବ ଭାବରେ ମଳମୂତ୍ରାଦିର ଅପସାରଣ, ଗ୍ରାମର କୂପ ଓ ପୁଷ୍କରିଣୀ ପରିଷ୍କାର ଓ ଗ୍ରାମବାସୀଙ୍କୁ ଜଳର ପରିମିତ ବ୍ୟବହାର ସମ୍ୱନ୍ଧରେ ଶିକ୍ଷା ଦାନ କରିବା । ଗ୍ରାମବାସୀ ନିପୀଡ଼ିତ ଜନସାଧାରଣ ଜାଣି ଆଶ୍ୱସ୍ତ ହେବେ ଯେ, ନିଖିଳ ଭାରତ ପଲ୍ଲୀସଂଘ ପ୍ରଧାନତଃ ମହାତ୍ମା ଗାନ୍ଧୀଙ୍କ ଉପଦେଶ ଓ ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେବ ।

 

ମହାତ୍ମା ଗାନ୍ଧୀ ଯେଉଁ ଆକାରରେ ଭାରତରେ ପଲ୍ଲୀ ସଂସ୍କାର ଓ ସଂଗଠନ କାମ ଆରମ୍ଭ କରିଛନ୍ତି, ସେପରି ଭାବରେ ଆଜିଯାଏ କେହି କଳ୍ପନା କରି ନ ଥିଲେ । ବମ୍ବେର ଗାରଗନ ଜିଲ୍ଲାରେ ସେଠାର କମିଶନର ବେଇନ୍‍ଙ୍କ ତତ୍ତ୍ୱାବଧାନରେ ଯେଉଁ ଗ୍ରାମସଂଗଠନ କାର୍ଯ୍ୟ ଆରମ୍ଭ କରିଥିଲେ, ତାହା ସରକାରୀ ଢଙ୍ଗରେ ଚଳୁଥିବାଯୋଗୁଁ ବେଶୀ ଖର୍ଚ୍ଚହେଲା । ଖର୍ଚ୍ଚ ଅନୁପାତରେ କାମ ସେତେ ହୋଇ ପାରି ନାହିଁ । ତେବେ ଯାହି ହୋଇଛି, ତାହା ମନ୍ଦ ନୁହେଁ । ଯେପରି ଭାବରେ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେପରି ଭାବରେ ଯଦି ସର୍ବସାଧାରଣଙ୍କ ହାତ ପାଇବା ଭଳି ଖର୍ଚ୍ଚରେ କାମ ହେଉଥାନ୍ତା ତା ହେଲେ ଦେଶର ବହୁ ଉପକାର ହେଉଥାନ୍ତା, ସନ୍ଦେହ ନାହିଁ । ବର୍ତ୍ତମାନ ବଙ୍ଗଦେଶରେ ସ୍ୱନାମଧନ୍ୟ ଶ୍ରୀ ଗୁରୁ ସଦୟ ଦତ୍ତ ଆଇ. ସି. ଏସ୍.ଙ୍କ ନେତୃତ୍ୱରେ ବ୍ରତାଚାରୀ ପ୍ରଣାଳୀର କଳ୍ପନା ବଡ଼ ଆଶାଜନକ । ନିକଟଭିବିଷ୍ୟତରେ ଏମାନେ ଯେ ଦେଶର ବହୁ କଲ୍ୟାଣ କରିବେ, ଏ ଆଶା ରହିଛି । ବଡ଼ ସୁଖର କଥା, ଭାରତର ନାନା ଅଞ୍ଚଳରେ ଏହି ଗ୍ରାମ ସଂଗଠନ ପାଇଁ ବହୁ ଆନ୍ଦୋଳନ ହେଉଛି । ଆମ ଓଡ଼ିଆ ଦେଶରେ ମଧ୍ୟ ଏପିରି ଆନ୍ଦୋଳନ ଓ କାର୍ଯ୍ୟ ହେବା ନିତାନ୍ତ ଦରକାର । ଅବଶ୍ୟ ଆମ ଦେଶର ଅବସ୍ଥାକୁ ଚାହିଁ ପ୍ରଣାଳୀରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ନିମ୍ନରେ ସଂକ୍ଷେପରେ ପଲ୍ଲୀ ସଂଗଠନର ଗୋଟିଏ କାର୍ଯ୍ୟ ପ୍ରଣାଳୀ ଦିଆଗଲା :–

 

୧.

ସମଗ୍ର ଓଡ଼ିଶା ପାଇଁ ଗୋଟିଏ ନିଖିଳ ଉତ୍କଳ ପଲ୍ଲୀ ସଂଗଠନ ସମିତ ରହିବ । ଏହାର ଶାଖା ପ୍ରଶାଖା ପ୍ରତ୍ୟେକ ଅଞ୍ଚଳରେ ରହିବ । ଏହା ତଳେ ଅନେକ ପ୍ରଚାରକ ନିଯୁକ୍ତ ରହି ଭିନ୍ନ ଭିନ୍ନ ଅଞ୍ଚଳ ବୁଲି ବକ୍ତୃତା, ଲେଖା, ମାଜିକ୍‌ଲଣ୍ଠନ ଦ୍ୱାରା ଲୋକଙ୍କ ଭିତରେ ପ୍ରଚାର କରିବେ ।

୨.

ସମିତିର ଉଦେଶ୍ୟ ହେବ, ପ୍ରତ୍ୟେକ ୫।୬ ଖଣ୍ଡ ମୌଜାକୁ ନେଇ ଏକ ଏକ କେନ୍ଦ୍ର କରି ଏକ ଏକ ପଞ୍ଚାୟତ ସ୍ଥାପିବା । ଏହି ପଞ୍ଚାୟତ ଗ୍ରାମମାନଙ୍କର ସବୁ ରକମର ତତ୍ତ୍ୱ ନେବେ । ମାଲିମକଦ୍ଦମା, ସାମାଜିକ କାରବାର, ଶିକ୍ଷା, ସ୍ୱାସ୍ଥ୍ୟ, ସବୁ ରକମର କଥା ପଞ୍ଚାୟତ ବୁଝିବେ । ପଞ୍ଚାୟତ ଉପରେ ସବୁ ଭାର ରହିବ ।

୩.

ସରକାରୀ ଓ ବେସରକାରୀ ପ୍ରତିନିଧିମାନଙ୍କୁ ନେଇ ସମିତି ଗଠିତ ହେବ ଏବଂ ସରକାର ସମିତିକୁ ପ୍ରତିବର୍ଷ ଧନ ସାହାଯ୍ୟ ଦେବେ । ପ୍ରଚାରକମାନଙ୍କର ଶିକ୍ଷା ପାଇଁ ଗୋଟିଏ କେନ୍ଦ୍ର ସ୍କୁଲ କରାହେବ । ପ୍ରଚାରକଙ୍କ ଭିତରୁ କେତେ ଅବୈତନିକ ଓ କେତେ ବେତନ ନେଇ କାମ କରିବେ ।

 

ସାଧାରଣତଃ ସମିତି ନିମ୍ନଲିଖିତ ବିଷୟ ଦିଗରେ ବିଶେଷ ଭାବରେ ଚେଷ୍ଟା ଓ କାର୍ଯ୍ୟ କରିବେ ।"

 

(କ)

ସାମାଜିକ–ବାଲ୍ୟ ବିବାହ ଓ ବୃଦ୍ଧ ବିବାହର ଉଚ୍ଛେଦ ଓ ଯୁବତୀ ତଥା ଯୁବତୀ ବିଧବା ବିବାହ ପ୍ରଚଳନ, କନ୍ୟାସୁନା ଓ ବରପଣର ଉଚ୍ଛେଦ, ବିବାହ, ଶ୍ରାଦ୍ଧ, ଉପନୟନ ଓ ଯାତ୍ରା ଆଦିରେ ଅନାବଶ୍ୟକ ଓ ବାଜେ ଖର୍ଚ୍ଚ ବନ୍ଦ, ଅସ୍ପୃ,ଶ୍ୟତା ନିବାରଣ, ନିଶା ନିବାରଣ, ବହୁତ ପାନ ଓ ଗୁଣ୍ଡିଖିଆ ବନ୍ଦ, ପର୍ଦା ବା ସ୍ତ୍ରୀମାନଙ୍କ ଲୁଚି ରହିବା ପ୍ରଥା ମୂଳରୁ ଉଠାଇ ଦେବା ପ୍ରଭୃତି ଦିଗରେ ପ୍ରଚାର କାର୍ଯ୍ୟ କରିବେ । ଗ୍ରାମରେ ଏକତା ବନ୍ଧନ ପ୍ରଚାର କରିବା ହେବ ମୂଳକଥା ।

 

(ଖ)

ଶିକ୍ଷା ଓ ନୈତିକ–ଗ୍ରାମରେ ଭାଗବତ ଟୁଙ୍ଗିର ପ୍ରତିଷ୍ଠା କରି ଲୋକଙ୍କୁ ଧର୍ମ ଶିକ୍ଷା ଦେବାର ସୃବ୍ୟବସ୍ଥା କରିବା, ରାତିରେ ଗାଁର ମୂର୍ଖ ଲୋକଙ୍କୁ ଅକ୍ଷର ପରିଚୟ କରାଇ ସରଳ ଭାଷାର ଶିକ୍ଷଣୀୟ ପୁସ୍ତକଗୁଡ଼ିକ ପଢ଼ାଇବା ଓ ଦୈନିକ ବା ସମ୍ଭାବନା ହେଲେ ସାପ୍ତାହିକ ଖବର କାଗଜ ପଢ଼ି ଶୁଣାଇବା, ଗ୍ରାମର ପାଠଶାଳାରେ ସବୁ ପୁଅ ଝିଅମାନଙ୍କର ପାଠ ପଢ଼ାର ବ୍ୟବସ୍ଥା କରାଇବା ଏବଂ ଶିକ୍ଷା ପ୍ରତି ଗ୍ରାମବାସୀଙ୍କର ଶ୍ରଦ୍ଧା ବଢ଼ାଇ ଦେବାର ବ୍ୟବସ୍ଥା କରିବା, ପୁଅମାନଙ୍କ ସହିତରେ ସ୍ଥାନୀୟ ମାଇନର ବା ଅପର ପ୍ରାଇମେରୀ ସ୍କୁଲରେ ଝିଅମାନଙ୍କୁ କ୍ରମରେ ୧୬।୧୭ ବର୍ଷ ପର୍ଯ୍ୟନ୍ତ ପଢ଼ାଇବାର ବ୍ୟବସ୍ଥା କରିବା, ଯେଉଁ ନାରୀମାନେ ପର୍ଦାରେ ରହିଛନ୍ତି ସେମାନଙ୍କୁ ନାରୀ ପ୍ରଚାରିକାମାନଙ୍କ ଦ୍ୱାରା ସେମାନଙ୍କର ଅବଶ୍ୟଜ୍ଞତବ୍ୟ ବିଷୟମାନ ଜଣାଇବାର ବ୍ୟବସ୍ଥା କରିବା, ସେମାନଙ୍କୁ ସାକ୍ଷରା କରିବାର ବ୍ୟବସ୍ଥା କରିବା ଇତ୍ୟାଦି ବିଷୟ ସମିତି କରିବ ।

 

(ଗ)

ସ୍ଵାସ୍ଥ୍ୟ–ଗାଁକୁ ସଫା ସୃତୁରା ରଖିବା, ରାସ୍ତା ସଫା ରଖିବା, କୂଅ ପୋଖରୀ ସଫା ,ରଖିବା, ପୋଖରୀ ଗାଡ଼ିଆରୁ ଦଳ ସାଫ କରିବା, ପବନ ଓ ଖରା ଯା’ଆସ କରିବା ମୁତାବକ ଘର ତିଆର କରିବା, ଖେଳ କସରତ ପାଇଁ ଆଖଡ଼ାଘର ତିଆର କରିବା ପ୍ରଭୃତି ବିଷୟରେ କାର୍ଯ୍ୟ କରିବା, ପ୍ରତି ବାଁଧରେ ଯୁବକମାନଙ୍କର ସେବା ଦଳ ଗଠନ କରି ମ୍ୟାଲେରିୟା, କଲେରାର ପ୍ରତିଷେଧ କରିବା ଓ ସେ ବିଷୟରେ ବିହିତ ଉପଦେଶ ଦେଇ କାର୍ଯ୍ୟ କରାଇବା ।

 

(ଘ)

ଆର୍ଥିକ–କିପରି ଭଲ ଧାନ ଓ ରବି ଫସଲ ହେବ, ଭଲ ପରିବା ଫଳିବ, କିପରି ଭଲ ଖତ ବ୍ୟବହାର ହେବ ପ୍ରଭୃତି ଦିଗରେ ଶିକ୍ଷା ଦିଆ ହେବ । ସୂତାକଟା, ଲୁଗାବୁଣା, ଧାନକୁଟା, ପାଚିଆ, ବାଉଁଶିଆ, ଡାଲା, କୁଲା, ବିଞ୍ଚଣା, ଚାଞ୍ଚ, ସପ, ହେଁସ, ଚଟେଇ, ମଶିଣା ବୁଣା, ଝୋଟ ଦଉଡ଼ି, କତା ଦଉଡ଼ି ବଳା, ଖରିକା ଛାଞ୍ଚୁଣୀ ତିଆର କରିବା ପ୍ରଭୃତି ସହଜ ଶିଳ୍ପଗୁଡ଼ିକର ପ୍ରଚାର କରିବା ।

ଉପର ଲିଖିତ ବିଷୟଗୁଡ଼ିକ ପ୍ରତି ବଶେଷ ଦୃଷ୍ଟିରେ କାର୍ଯ୍ୟ କଲେ ନିରନ୍ନ, ବସ୍ତ୍ରହୀନ, ମୂକ, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ଲୋକଙ୍କର ଭାଗ୍ୟ ପରିବର୍ତ୍ତନ କରିବାରେ ବହୁତ ସହାୟ ହେବ–ଏଥିରେ କୌଣସି ସନ୍ଦେହ ନାହିଁ କେବଳ ଏଥିପାଇଁ ଦରକାର ଉତ୍ସାହ, କର୍ମନିଷ୍ଠା ଓ ସାହସ । ଯେତେ ଦିନ ପର୍ଯ୍ୟନ୍ତ ଦେଶର ଲୋକେ, ଦେଶର ସରକାର ଏ ସମ୍ବନ୍ଧରେ ଉଦାସୀନ ରହିଥିବେ, ଚେଇଁ ଶୋଇଥିବେ, ପର ମୁହଁକୁ ଚାହିଁ ଅଭିମାନ କରି ରହିଥିବେ, ସେତେ ଦିନ ପର୍ଯ୍ୟନ୍ତ ଜାତି ଏମିତି ନରକ ଦଶାରେ ତଳେ ପଡ଼ି ରହିଥିବ ।

ଏସବୁ ବିଷୟରେ ଦେଶର ସରକାର ଓ ବିଶେଷ ଭାବରେ ଜାତୀୟ ସେବାବ୍ରତଧାରୀ ଦେଶର ନେତା ଓ ସମାଜ-ସଂସ୍କାରକମାନଙ୍କର ଦାୟିତ୍ୱ ସବୁଠାରୁ ଅଧିକ ବୋଲି ମନେ ହୁଏ ।

Image